କନକ ବ୍ୟୁରୋ : କରୋନା ପାଇଁ ବଦଳିଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଆସନ୍ତା ସପ୍ତାହରୁ ଶନିବାର, ରବିବାର ବନ୍ଦ ରହିବ ଜଗା ଦର୍ଶନ । ଆସନ୍ତା ୨୪ ତାରିଖରୁ ଏହି କଟକଣା ଲାଗୁ ହେବ। ସେହିପରି ରାଜ୍ୟ ବାହାର ଭକ୍ତଙ୍କ କ୍ଷେତ୍ରରେ ମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଗକୁ ରାଜ୍ୟ ବାହାରର ଯେଉଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ, ସେମାନଙ୍କ ପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ୍ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।
ଯଦି ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ନ ଥିବ ତେବେ ଦର୍ଶନାର୍ଥୀ କୋଭିଡ୍ ଟିକାର ଦୁଇଟିଯାକ ଡୋଜ୍ ନେଇଥିବେ । ସେ ସମ୍ପର୍କିତ ରିପୋର୍ଟ ଦେଖାଇ ବାହାର ରାଜ୍ୟର ଭକ୍ତମାନେ ଦର୍ଶନ ପାଇଁ ଶ୍ରୀନ୍ଦିର ଭିତରକୁ ଯାଇପାରିବେ। ସେହିପରି ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଭିତର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ମାତ୍ର ସେବାୟତ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଏବେ ବାହାର କାଠରୁ ଦର୍ଶନ ବ୍ୟବସ୍ଥା କରାଯାଇଛି। ସେହିପରି ମନ୍ଦିର ବେଢ଼ାରେ ଦୀପ ଲଗାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହି ସମସ୍ତ କଟକଣା ଆସନ୍ତା ୧୯ ତାରିଖରୁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇଛି।
ଓଡ଼ିଶା ବାହାରୁ ଆସୁଥିବା ଭକ୍ତଙ୍କ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା କୋଭିଡ୍ ଟିକାକରଣ ରିପୋର୍ଟ ଯାଞ୍ଚ ପାଇଁ ସିଂହଦ୍ବାରରେ ପୂର୍ବଭଳି ସ୍ବତନ୍ତ୍ର କାଉଣ୍ଟର୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଦର୍ଶନ ପୂର୍ବରୁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଯଦ୍ଦ୍ବାରା ଓଡ଼ିଶା ଭିତର ଓ ବାହାର ଭକ୍ତ ସହଜରେ ଚିହ୍ନଟ ହୋଇପାରିବେ । ଏଥିପାଇଁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଧାରକାର୍ଡ, ଭୋଟର୍ ପରିଚୟପତ୍ର ଅବା ଅନ୍ୟ କିଛି ପରିଚୟପତ୍ର ସାଙ୍ଗରେ ଆଣିବାକୁ କୁହାଯାଇଛି। ମାସ୍କ ଯାଞ୍ଚ କଡ଼ାକଡ଼ି ଉପରେ ଗୁରୁତ୍ବ ଦିଆଯାଇଛି ।
ପାନଛେପ ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସେବକଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇ ଖୁବ୍ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବ । ଏହି ସ୍କ୍ବାଡ୍ ଶ୍ରୀମନ୍ଦିର ଦ୍ବାର ଓ ଭିତରେ ଜଗିବେ । ଆଗରୁ ଭକ୍ତମାନେ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । ଏଥର ଭକ୍ତଙ୍କ ଭିତର କାଠ ପ୍ରବେଶ ନିଷେଧ କରାଯାଇଛି । ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଫେରିବେ ।