କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପର ଦୁର୍ବଳ ବିମକୁ ସମର୍ଥନ ଦେବା ପାଇଁ ଅସ୍ଥାୟୀ ଢାଞ୍ଚା ନିର୍ମାଣ କରାଯାଇଛି। ମରାମତି କାର୍ଯ୍ୟ ବେଳେ ଦୁର୍ବଳ ହୋଇ ପଡିଥିବା ପ୍ଲାଷ୍ଟର ଛଡା ଯିବା ପରେ ବିମରେ ବଡ ଫାଟ ଥିବା ଜଣା ପଡିଥିଲା। ଏପରି ପରିସ୍ଥିତିରେ ତୁରନ୍ତ ଫାଟ ଥିବା ବିମକୁ ସମର୍ଥନ ଦେବା ପାଇଁ ଅସ୍ଥାୟୀ ସମର୍ଥନ ବ୍ୟବସ୍ଥା କରାଯାଇଛି ବୋଲି ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ମରାମତି ସଂପର୍କିତ ମାମଲାର ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ଦର୍ଶାଯାଇଥିଲା। ଆଜି ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ପରିସରରେ ଚାଲିଥିବା ମରାମତି କାର୍ଯ୍ୟ ସଂପର୍କରେ ଏଏସଆଇର ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏ.ଏଚ.ନାୟକ ଓ ଶ୍ରୀ ମନ୍ଦିରର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ସୁବୁଦ୍ଧିଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା।
ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପର ଦୁର୍ବଳ ବିମ୍ ଓ ଅନ୍ୟ ସ୍ଥାନ ଗୁଡିକର ମରାମତି ପୂର୍ବରୁ ଏଏସଆଇ କୋର କମିଟି ସଦସ୍ୟ, ବାହାରର କେତେକ ବିଶେଷଜ୍ଞ, ଶ୍ରୀମନ୍ଦିର ପ୍ରଶାସନର ଇଂଜିନିୟର ମରାମତିସ୍ଥଳ ଅନୁଧ୍ୟାନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା। କଣ ମରାମତି କରାଯିବ, କେଉଁ ପ୍ରକ୍ରିୟାରେ ଏବ କି ପ୍ରକାର ଜ୍ଞାନକୌଶଳ ଅବଲମ୍ବନ କରି ମରାମତି କାର୍ଯ୍ୟ କରାଯିବ, ସେ ସଂପର୍କରେ ଅନୁଧ୍ୟାନ ପରେ ସ୍ଥିର କରାଯିବ। ବିଶେଷଜ୍ଞଙ୍କ ଅନୁଧ୍ୟାନ ପାଇଁ ୩ ଦିନ ଆବଶ୍ୟକ। ୨୦୧୮, ଫେବ୍ରୁଆରି ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଧ୍ୟାନ ପାଇଁ ଜାଗା ପ୍ରଦାନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ
ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଏଏସଆଇ ପ୍ରସ୍ତାବ ସଂପର୍କରେ ୨୦୧୮, ଜାନୁଆରି ୨୨ରେ ଛତିଶାନିଯୋଗ ବୈଠକରେ ଆଲୋଚନା କରାଯାଇଥିଲ। ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏଏସଆଇ ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି ଛତିଶା ନିଯୋଗ। କିନ୍ତୁ ସ୍ନାନଯାତ୍ରା ପୂର୍ବରୁ ଷ୍ଟିଲ ଢାଞ୍ଚାକୁ ହଟାଇବା ପାଇଁ ଏଏସଆଇକୁ ପ୍ରସ୍ତାବ ଦିଆଯାଇଛି।
ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଫେବ୍ରୁଆରି ୨୧, ୨୨ ଓ ୨୩ ତାରିଖ ଦିନ ଗରୁଡ ସ୍ତମ୍ଭ ନିକଟ ନାଟ ମଣ୍ଡପର ସ୍ଥିତି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ପାଇଁ ଜାଗା ପ୍ରଦାନ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଏଥି ପୂର୍ବରୁ ମରାମତି କାର୍ଯ୍ୟ ସଂପର୍କରେ ସାନି ସତ୍ୟପାଠ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। କଣ ସବୁ ମରାମତି କାର୍ୟ୍ୟ ହେବ ଓ ଏଥି ପାଇଁ କେତେ ଦିନ ସମୟ ଲାଗିବ ସେ ନେଇ ଏଏସଆଇ ସତ୍ୟପାଠରେ ସ୍ପଷ୍ଟ କରିବ। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ଇଂଜିନିୟର ଏନ.କେ.ମହାନ୍ତି କମିସନ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ବେହେରଣ ଦ୍ୱାର ନିକଟରେ ମରାମତି କାର୍ୟ୍ୟ ଚାଲିଛି। ଏହି ମରାମତି କାର୍ୟ୍ୟ ୨୦୧୮, ଫେବ୍ରୁଆରି ୨୮ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ଜଗମୋହନ ମରାମତି କାର୍ୟ୍ୟ ଓ ସୌନ୍ଦର୍ୟ୍ୟକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଠ ସିଲିଂ କାମ ସରିଛି ଓ ଚୂଡାନ୍ତ ପଲିସ କାମ ଚାଲିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଳେଖ କରାଯାଇଛି। ଫୁଲ ଚଂଙ୍ଗଡ଼ା ଘର ଓ ଭଣ୍ଡାର ଘର ପୁନଃନିର୍ମାଣ କାମ ଚାଲିଥିବା ବେଳେ ଜଗମୋହନ ଭିତର ମରାମତି କାର୍ୟ୍ୟ ଫେବ୍ରୁଆରି ୨୮ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସତ୍ୟପାଠରେ ଦର୍ଶାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/puri.jpg)