କରୋନା ରିପୋର୍ଟ ନେଗେଟିଭ ଥିଲେ ମିଳିବ କାଳିଆ ଦର୍ଶନ, ୯ ମାସ ପରେ ଡିସେମ୍ବର ୨୩ରେ ଖୋଲିପାରେ ଶ୍ରୀମନ୍ଦିର । ଜାଣନ୍ତୁ ଜଗା ଦର୍ଶନ ପାଇଁ ପ୍ରଥମେ କାହାକୁ ମିଳିବ ସୁଯୋଗ?

133

କନକ ବ୍ୟୁରୋ : କେବେ ଭକ୍ତଙ୍କୁ ଦର୍ଶନ ଦେବେ ବଡଠାକୁର ? ୯ ମାସ ହେଲା ଆତୁର ହୋଇ ଭଗବାନଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ଭକ୍ତଙ୍କ ପାଇଁ ବଡ ଅଡୁଆ ସୃଷ୍ଟି କରିଛି କରୋନା । କାରଣ କୋଭିଡ ନେଗେଟିଭ୍ ଥିଲେ ଯାଇ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି । ଆଜି ଛତିଶାନିଯୋଗ ବୈଠକରେ ଡିସେମ୍ବର ଶେଷ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ନିଷ୍ପତି ହୋଇଛି । ପ୍ରଥମେ ପୁରୀବାସୀଙ୍କୁ ମିଳିବ ବଡ ଦେଉଳକୁ ପ୍ରବେଶ ଅନୁମତି । ଜାନୁଆରୀ ୧ ଓ ୨ ତାରିଖରେ ପ୍ରବଳ ଭିଡ ଆଶଙ୍କା କରି ସାଧାରଣ ଦର୍ଶନ ବନ୍ଦ କରିବାକୁ କୁହାଯାଇଛି । ଜାନୁଆରୀ ୩ ତାରିଖରୁ ପୁରୀ ବାହାର ଭକ୍ତଙ୍କୁ ଜଗା ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ନିଷ୍ପତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପ୍ରାୟ ୯ ମାସ ଧରି କୋଟି କୋଟି ଭକ୍ତ ଯେଉଁ ଦିନକୁ ଅପେକ୍ଷା କରିଥିଲେ, ଖୁବଶୀଘ୍ର ଆସିପାରେ ସେହି ମୁହୁର୍ତ । ଯେଉଁଦିନ ଭକ୍ତ ଓ ଭଗବାନଙ୍କ ମିଳନ ହେବ । କାରଣ ଡିସେମ୍ବର ଶେଷ ସପ୍ତାହରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ସରକାରଙ୍କୁ  ପ୍ରସ୍ତାବ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । ସରକାରଙ୍କ ଅନୁମତି ମିଳିଲେ ଜଗା ଦର୍ଶନ କରିବେ ଭକ୍ତ ।

ଜଗା ଦର୍ଶନ ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବେଶ ସତର୍କତାର ସହ ଶ୍ରୀମନ୍ଦିର ଖୋଲିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଥମେ ପୁରୀବାସୀଙ୍କୁ ଦର୍ଶନର ସୁଯୋଗ ମିଳିବ । ଜାନୁଆରୀ ୩ରୁ ଅନ୍ୟ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସିଂହଦ୍ୱାର ଖୋଲାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଦୈନିକ ମାତ୍ର ୫ ହଜାର ଭକ୍ତ ଜଗା ଦର୍ଶନ କରିପାରିବେ । ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କରୋନା କାଳରେ କିପରି ଦର୍ଶନ ହେବ, ସେଥିପାଇଁ ଏସଓପି ଜାରି କରାଯିବ । କଟକଣା ଭିତରେ ଦର୍ଶନ ପାଇଁ ନିଷ୍ପତି ନିଆଯାଇଛି ।

କେମିତି ହେବ ଜଗା ଦର୍ଶନ?

୨୩ ଡିସେମ୍ବରରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର

ପ୍ରଥମେ କେବଳ ଦର୍ଶନ କରିବେ ପୁରୀବାସୀ

ଜାନୁୟାରୀ ୩ରୁ ଅନ୍ୟ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ମିଳିବ ଅନୁମତି

ପ୍ରଥମ ପର୍ଯ୍ୟାୟରେ ଦୈନିକ ୫ ହଜାର ଭକ୍ତ କରିବେ ଦର୍ଶନ

ଜାନୁୟାରୀ ୧ ଓ ୨ ତାରିଖରେ ବନ୍ଦ ରହିବ ଦର୍ଶନ

ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ

ଫୁଲ-ଦୀପ-ଧୂପ ରଖିବା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ

ଛତିଶା ନିଯୋଗ ବୈଠକରେ ସମସ୍ତ ନିଯୋଗର କର୍ମକର୍ତା ଯୋଗ ଦେଇଥିଲେ । ଭକ୍ତଙ୍କ ପାଇଁ  ଶ୍ରୀମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ପ୍ରୟାସକୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ । କରୋନା ସଂକ୍ରମଣ ଭୟ ଏପର୍ଯ୍ୟନ୍ତ ହଟିନଥିବାରୁ କଟକଣା ଭିତରେ ଦର୍ଶନ ଚାଲିବ । ଫେବ୍ରୁଆରୀ ବେଳକୁ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମଖ୍ୟ ପ୍ରଶାସକ । ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଥିବା ବେଳେ ୬୫ ବର୍ଷରୁ ଉଦ୍ଧ୍ୱର୍ ଓ ପିଲାମାନଙ୍କୁ ନଆସିବା ପାଇଁ ଅନୁରୋଧ କରାଯାଇଛି ।