ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ସମ୍ଭାବ୍ୟ ମୁକାବିଲା ପାଇଁ ସ୍ୱତନ୍ତ୍ର ଆଇନଜୀବୀ ନିଯୁକ୍ତି ପଦକ୍ଷେପ ।

123

କନକ ବୁାରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଖନନ ଓ ନିର୍ମାଣକୁ ନେଇ ବିବାଦ ବଢିଛି । ବିନା ବୈଧ ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଏଏସଆଇ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଛି । ଏହା ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ନେଇ ଅକଳରେ ପଡ଼ିଛନ୍ତି । ସୁପ୍ରିମକୋର୍ଟରେ ମାମଲା ଦାୟର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର୍ର ଭାବେ ଜଣେ ଆଇନଜୀବୀଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନେଇଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛି ରାଜ୍ୟ ପୂର୍ତ୍ତ ବିଭାଗ ।

ସୁପ୍ରିମକୋର୍ଟ ଆଡଭୋକେଟ୍ ଅନ୍ ରେକର୍ଡ ଗୌରଭ ଖାନ୍ନାଙ୍କୁ ନିଯୁକ୍ତି ଦେବା ପାଇଁ ପୂର୍ତ୍ତ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା ଖନନ ଓ ନିର୍ମାଣକୁ ବିରୋଧ କରି ହୋଇଥିବା ମାମଲାର ମେ’ ୯ ତାରିଖରେ ହାଇକୋର୍ଟ ଶୁଣାଣି କରିଥିଲେ । ଏଏସଆଇ ସତ୍ୟପାଠ ଉପରେ ଜୁନ୍ ୨୦ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୨ ତାରିଖରେ ହେବ ।