ମହାପ୍ରଭୁଙ୍କ ରୋଷଘର ଚୁଲି କିଏ ଓ କାହିଁକି ଭାଙ୍ଗିଲା? ୪ ସେବାୟତଙ୍କୁ ଚାଲିଛି ଜେରା, ଜିଲ୍ଲାପାଳ କହିଲେ ରୋଷଘର ପ୍ରବେଶ ପଥରେ ଲାଗିବ ସିସିଟିଭ କ୍ୟାମେରା ।

217

କନକ ବ୍ୟୁରୋ : ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ନୀତି ପ୍ରଶାସକ ଓ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆଡିସନାଲ ଏସପି ମିଳିତ ଭାବେ ତଦନ୍ତ କରୁଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ରୋଷଶାଳା ଭାଙ୍ଗିବା ଘଟଣାରେ ୪ ଜଣ ସେବାୟତଙ୍କୁ ପଚରାଉଚରା କରିଛନ୍ତି ତଦନ୍ତକାରୀ ଟିମ୍ । ବ୍ୟବସାୟିକ ଶତ୍ରୁତାରେ ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଠ ଭୋଗ ଠିକ ସମୟରେ ହେବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।ଏହାଛଡା ରୋଷଶାଳାର ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଆଜି ଶ୍ରୀମନ୍ଦିର ରୋଷ ଘରେ ୩୦୦ରୁ ଅଧିକ ଚୁଲି ଭଙ୍ଗାଯାଇଥିବା ନେଇ ସକାଳେ ଖବର ମିଳିଥିଲା । ସେବାୟତମାନଙ୍କ ଭିତରେ ପୂର୍ବ ଶତ୍ରୁତାକୁ ନେଇ ଚୁଲି ଭଙ୍ଗାଯାଇଥିବା ଅନୁମାନ କରାଯାଉଥିଲା । ଶ୍ରୀମନ୍ଦିର ରୋଷ ଘରେ ୭୦୦ ଶହ ଚୁଲି ରହିଛି । ଯାହା ମଧ୍ୟରୁ ୩୦୦ ଚୁଲି ଭଙ୍ଗା ଯାଇଥିବା କୁହାଯାଉଛି । ତେବେ ଭଙ୍ଗା ଯାଇଥିବା ଚୁଲିରେ ବରାଦି ଭୋଗ କରାଯାଇଥାଏ ।

ସୁଆର ମହାସୁଆର ନିଯୋଗର ସଭାପତି କହିଛନ୍ତି, କବାଟ ନଥିବାରୁ କେହି ଦୁର୍ବୃତ ପଶି ଚୁଲା ଗୁଡିକୁ ଭାଙ୍ଗି ଦେଇଛନ୍ତି । ଏପରିକି ଶ୍ରୀମନ୍ଦିର ସୁରକ୍ଷା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ନିଜ ଭିତରେ ଶତ୍ରୁତା କାରଣରୁ ସେବାୟତ ଚୁଲା ଭାଙ୍ଗି ଦେଇଥିଲେ କଥା ଅତି ସାଂଘାତିକ । ଯେଉଁ ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୬୦ ପଉଟି ଭୋଗ ହୋଇଥାଏ ଓ ଅତି ନିଷ୍ଠାର ସହ ସେବାୟତମାନେ ଏହାକୁ କରିଥାନ୍ତି ସେଠାରେ ବ୍ୟକ୍ତି ଶତ୍ରୁତାରୁ ଚୁଲି ଭାଙ୍ଗି ଦେବା ଘଟଣା ଅତି ସାଂଘାତିକ ।