କନକ ବ୍ୟୁରୋ: ଅତି କଟକଣା ଭିତରେ ରହୁଥିବା ଶ୍ରୀମନ୍ଦିରର ଭିତର ଫଟୋ ଓ ଭିଜୁଆଲ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଜନୈକ ଯୁବକ ଶ୍ରୀମନ୍ଦିର ଭିତର ବେଢାର ଟିକିନିଖି ଫଟୋ ଓ ଭିଜୁଆଲ କରି ଏବେ ବିକ୍ରିି କରୁଥିବା ଅଭିଯୋଗ ହେଉଛି । କେବଳ ଏତିକି ନୁହେଁ ଫୁଟେଜ୍ ପିଛା ୨୦ ହଜାର ଟଙ୍କା ଦାବି କରୁଛନ୍ତି ଯୁବକ । ଏହାକୁ ନେଇ ସେବାୟତ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲାପାଳ ।
ବିଶ୍ୱ ବଜାରରେ ବିକ୍ରି ହେଉଛନ୍ତି ଶ୍ରୀମନ୍ଦିର ଭିତରବେଢ଼ାର ଡ୍ରୋନ୍ ଫଟୋ ଓ ଭିଡ଼ିଓ। ନୋ ଫ୍ଲାଇଂ ଜୋନ୍ରେ ଡ୍ରୋନ୍ ଉଡ଼ାଇ ଉତ୍ତୋଳନ ହୋଇଛି ଏହି ଚିତ୍ର। ଯେଉଁଥିରେ ନୀଳଚକ୍ର ଓ ଅଁଳାବେଢ଼ା ଉପର ଚିତ୍ର ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଶ୍ରୀମନ୍ଦିର ଭିତର ବେଢ଼ାର ଟିକିନିଖି ଚିତ୍ର ବି ଦେଖାଯାଉଛି। ଏହି ଭିଡିଓ ଓ ଫଟୋ ପାଇଁ ଯୁବକ ଜଣକ ଓଡ଼ିଶା ପୁଲିସକୁ କୃତଜ୍ଞତା ଜଣାଇଥିବା ଜଣାପଡିଛି ।
ତେବେ ଏପରି ଘଟଣା ଘଟିବା ପ୍ରଥମ ନୁହେଁ । ନିକଟ ଅତୀତରେ ଜଣେ ବାଂଲାଦେଶୀ ଯୁବକ ମନ୍ଦିର ଭିତରର ଫଟୋ ଓ ଭିଜୁଆଲ କରି ଭାଇରାଲ କରିଥିଲା । କେନ୍ଦ୍ର ଗୁଇନ୍ଦା ବିଭାଗ ୨୦୧୯ ମସିହାରେ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଥିବା ତତ୍କାଳୀନ ପୁରୀ ଏସ୍ପିଙ୍କୁ ସତର୍କ ସୂଚନା ଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। କୋଷ୍ଟଗାର୍ଡ ସୁରକ୍ଷାକୁ ବି ବଢ଼ାଇ ଦିଆଯାଇଥିଲା। ଏହାପରେ ବି ବାରମ୍ବାର ଏପରି ଘଟଣା ଘଟିବା ଚିନ୍ତାର ବିଷୟ ପାଲଟିଛି । ଏବେ ଅନ୍ୟ ଜଣେ ଯୁବକ ଶ୍ରୀମନ୍ଦିର ଉପରେ ଅତି ନିକଟରେ ଡ୍ରୋନ୍ ଉଠାଇ ଏହାର ଫଟୋ ଓ ଭିଡିଓ ନିଜ ସୋସିଆଲ୍ ସାଇଟ୍ରେ ଛାଡ଼ିଛନ୍ତି।
ମିଳିଥିବା ସୂଚନା ମୁତାବକ, କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ନାମକ ଯୁବକ ୟୁନିଫାଏଡ୍ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍ରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ସ୍ପଷ୍ଟ ଭିଡିଓ ଚିତ୍ର ଅପଲୋଡ୍ କରିଛନ୍ତି। ଯେଉଁ ଭିଡିଓ ଉପରେ ୟୁନିଫାଏଡ୍ ଅନିମେଶ ଓ ୟୁନିଫାଏଡ୍ ମୁଭିର ୱାଟର ମାର୍କ ରହିଛି। ଏହି ଭିଡିଓରେ ନୀଳଚକ୍ର ବାନା ବାନ୍ଧିବା ସହ ଅଁଳାବେଢ଼ାର ଉପର ଚିତ୍ର ଦେଖିବାକୁ ମିଳିଛି। ଏହି ଭିଡିଓ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ଉପରୁ ଏତେ ନିକଟରୁ ଉତ୍ତୋଳନ କରାଯାଇଛି ଯେ ଶ୍ରୀମନ୍ଦିର ଅଁଳା ବେଢ଼ା ଉପର ଓ ଶ୍ରୀମନ୍ଦିର ଭିତର ବେଢ଼ାର ଚିତ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି। ବଡ଼କଥା ହେଉଛି, ଶ୍ରୀମନ୍ଦିର ଉପର ଓ ଏହାର ଚାରିପାଖ ନୋ ପ୍ଲାଇଂ ଜୋନ୍। କୌଣସି ହେଲିକପ୍ଟର କି ଡ୍ରୋନ୍ ଏହା ଉପରେ ଉଡ଼ିପାରିବନାହିଁ। ତଥାପି କିଏ ଓ କାହା ଅନୁମତିରେ ଏହି ଭିଡିଓ ଓ ଫଟୋ ଉତ୍ତୋଳନ କଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଛରେ ଜିଲ୍ଲା ପ୍ରଶାସନ ସହ ବଡ଼ବଡ଼ିଆ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଖୋଳତାଡ଼ ପରେ ଅନିମେଶ ୟୁନିଫାଏଡ୍ ମୁଭିଜ୍ ବ୍ୟାନରରେ କ୍ଷୁଦ୍ର ଚଳଚିତ୍ର ଓ ୱେବ ସିରିଜ୍ ତିଆରି କରୁଥିବା ଜଣାପଡ଼ିଛି।
ଅନ୍ୟପଟେ ଜଣେ ଭକ୍ତ ଅନିମେଶଙ୍କୁ ଏହି ଡ୍ରୋନ୍ ଭିଡିଓ ମାଗିଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଡ୍ରୋନ୍ ଭିଡିଓ ତ ଦୂରର କଥା ଏହାର ଗୋଟିଏ ପଟର ଛୋଟ ଫୁଟେଜ୍ ପାଇଁ ଅନିମେଶ ତାଙ୍କୁ ୨୦ହଜାର ଟଙ୍କା ଦାବି କରିଥିଲେ। ସୋସିଆଲ୍ ସାଇଟ୍ରେ ଅନିମେଶଙ୍କ ସହ ସମ୍ପୃକ୍ତ ଭକ୍ତଙ୍କ ବାର୍ତ୍ତାଳାପର ଏହି ଚାଟ୍ ଏବେ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ୍ ଚନ୍ଦ୍ରଶେଖର ରାଓ କହିଛନ୍ତି, ଆମେ ଏ ସମ୍ପର୍କିତ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛୁ। ବିଭିନ୍ନ ଦିଗକୁ ଆଧାର କରି ତର୍ଜମା କରାଯାଉଛି। ଆବଶ୍ୟକ ତଥ୍ୟ ପ୍ରମାଣ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଓ କହିଛନ୍ତି।