ଭକ୍ତ-ଭଗବାନଙ୍କ ଭିତରେ ପାଚେରି ଠିଆ କରିଦେଲେଣି ପ୍ରଶାସନ! ଆଉ ଆଗଭଳି ଦିଶୁନି ସିଂହଦ୍ୱାର ଗୁମୁଟରୁ ପତିତପାବନ: ଦର୍ଶନ ଜାଗାରେ ପଡ଼ିଲା ବାଡ଼, ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଅନ୍ୟ ଧର୍ମର ଶ୍ରଦ୍ଧାଳୁ

215

କନକ ବ୍ୟୁରୋ: ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ପାଇଁ ଏକାଧିକ ପ୍ରକଳ୍ପ ହାତକୁ ନେଇଛନ୍ତି। ଏଥିପାଇଁ ୭୫ ମିଟର ପରିଧିରୁ ବହୁ ଐତିହ୍ୟ ସଂପନ୍ନ ମଠ, ମନ୍ଦିରକୁ ଉଚ୍ଛେଦ କରାଯାଇଛି। ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ବାହାରକୁ ସୁନ୍ଦର କରିବା, ଭକ୍ତଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଓ ପୁରୀରୁ ଏକ ସୁନ୍ଦର ଅନୁଭୂତି ନେଇ ଫେରିବାର ଏକ ବୃହତ୍ତ ପ୍ରୟାସ କରାଯାଇଛି। କିନ୍ତୁ ଅଲକ୍ଷ୍ୟରେ ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରି ଠିଆ କରିଦେଲେଣି ପ୍ରଶାସନ। ଏହି ବିକାଶ ଆଳରେ ଯେଉଁ କଟକଣା ହୋଇଛି, ତାହା ହିଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବଢ଼ାଇଛି।

ଆଗଭଳି ସିଂହଦ୍ବାର ଗୁମୁଟରୁ ପତିତପାବନ ଆଉ ଦିଶୁନାହାନ୍ତି। ଭକ୍ତ ବି ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେଲେଣି। ସମ୍ମୁଖରେ ପଡ଼ିଥିବା ବ୍ୟାରିକେଡ୍ ଏବେ ପତିତପାବନଙ୍କୁ ଲୁଚାଇ ଦେଇଛି। ଏହାକୁ ନେଇ ପୁରୀର ସ୍ଥାନୀୟ ବାସିନ୍ଦା ଓ ମହାପ୍ରଭୁଙ୍କୁ ଭଲ ପାଉଥିବା ଅନ୍ୟ ଧର୍ମର ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କଲେଣି। ଯାହା ପାଇଁ ଏତେ ବିକାଶ, ସେ ଯଦି ଦିଶିବେ ନାହିଁ, ତେବେ ଏହା ବିକାଶର ବିପରୀତ ଦିଗ ହେବ ବୋଲି ଚର୍ଚ୍ଚା ହେଉଛି। ଫଳସ୍ବରୂପ ପ୍ରାୟ ୩ଶହ ବର୍ଷ ପୂବେ ଯେଉଁ ଲକ୍ଷ୍ୟ ନେଇ ମହାପ୍ରଭୁ ପତିତପାବନଙ୍କ ପ୍ରତିଷ୍ଠା କରାଯାଇଥିଲା, ତାହା ଏବେ ବ୍ୟାହତ ହୋଇଛି।

ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି ଯେ ପତିତପାବନଙ୍କୁ ଦର୍ଶନ ମହାପ୍ରଭୁଙ୍କ ଦର୍ଶନ ସହ ସମାନ। ୧୭୩୩ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ପତିତପାବନଙ୍କୁ ସ୍ଥାପନା କରାଯାଇଥିଲା। ପତିତପାବନଙ୍କ ଆସ୍ଥାନ ହେଉଛି ‘ପୂର୍ବ ବୈକୁଣ୍ଠ’। ତତ୍କାଳୀନ ଖୋର୍ଧା ଭୋଇବଂଶର ଗଜପତି ମହାରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ସେ ସମୟରେ ମୁସଲମାନ ନବାବ ସୁଜା ଖାଁଙ୍କ କନ୍ୟା ବିବି ରେଜିଆଙ୍କୁ ବିବାହ କରିଥିଲେ। ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା ଥିବାରୁ ସେତେବେଳେ ରାମଚନ୍ଦ୍ର ଦେବଙ୍କୁ ବି ଶ୍ରୀମନ୍ଦିର ବାରଣ କରାଯାଇଥିଲା। ମୁକ୍ତିମଣ୍ଡପ ପଣ୍ଡିତମାନେ ଏହାକୁ ବିରୋଧ କରିଥିଲେ। ଯେହେତୁ ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କ ପରମ ଭକ୍ତ ଥିଲେ ଓ ସର୍ବଦା ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ, ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରବେଶ ଦ୍ବାରର ଗୁମୁଟରେ ପତିତପାବନଙ୍କୁ ସ୍ଥାପନ କରାଗଲା। ଯଦ୍ବାରା ଗଜପତି ରାମଚନ୍ଦ୍ର ଦେବ ସେଠାରୁ ଦୈନିକ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

ଅନ୍ୟ ଧର୍ମାବଲମ୍ବୀମାନେ ବି ଏହାଦ୍ବାରା ଉପକୃତ ହେଲେ। ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ଶ୍ରୀମନ୍ଦିର ବାହାରୁ କରି ପାରିଲେ। ପ୍ରାୟ ୩ଶହ ବର୍ଷର ଏହି ପରମ୍ପରା ଆଜି ବି ରହିଛି। କେବଳ ଅନ୍ୟ ଧର୍ମାବଲମ୍ବୀ ନୁହନ୍ତି, ସାହିବାସିନ୍ଦା ଓ ଆଖପାଖ ଲୋକେ ଶ୍ରୀମନ୍ଦିର ନଯାଇ ପାରିଲେ ପତିତପାବନଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରନ୍ତି। ଶ୍ରୀକ୍ଷେତ୍ରରେ ବସବାସ କରୁଥିବା ଲୋକେ ପତିତପାବନ ଓ ନୀଳଚକ୍ର ବାନାଙ୍କୁ ଦର୍ଶନ ନକଲେ ଦୈନିକ କାମ ଆରମ୍ଭ କରନ୍ତି ନାହିଁ। ଦୈନିକ ପତିତପାବନଙ୍କୁ ମୁଣ୍ଡିଆ ମାରିବା ସହ ନୀଳଚକ୍ରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ କାମରେ ବାହାରନ୍ତି। କାମ ସାରି ଫେରିଲା ବେଳେ ପୁଣି ପତିତପାବନ ଓ ନୀଳଚକ୍ରଙ୍କୁ ଦର୍ଶନ କରି ଘରକୁ ଫେରନ୍ତି।

କିନ୍ତୁ ଶ୍ରୀମନ୍ଦିର ସିଂହଦ୍ବାର ବିକାଶ ଆଳରେ ଏହି ଦର୍ଶନକୁ ଏବେ ବନ୍ଦ କରି ଦିଆଯାଇଛି। ବ୍ୟାରିକେଡ୍ ଯୋଗୁଁ ଭକ୍ତମାନେ ଆଉ ଆଗଭଳି ପତିତପାବନଙ୍କୁ ଦର୍ଶନ କରିପାରୁନାହାନ୍ତି। ତେବେ ଐତିହ୍ୟ କରିଡର ଆଳରେ କ୍ଷୁଣ୍ଣ ହେଉଥିବା ଶହ ଶହ ବର୍ଷର ପରମ୍ପରାକୁ ରକ୍ଷା ନକଲେ ଭକ୍ତମାନେ ମହାପ୍ରଭୁ ଓ ଶ୍ରୀମନ୍ଦିରଠାରୁ ସେତିକି ଦୂରେଇ ଯିବେ। ପୁରୀର ବିକାଶ ଯେଉଁ ଲକ୍ଷ୍ୟ ନେଇ କରାଯାଉଛି, ତାହା ପାଣିଚିଆ ହୋଇଯିବ ବୋଲି ମତ ପ୍ରକାଶ ପାଇଛି।

Comments are closed.