ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି: ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ବଡଠାକୁର; ସ୍ୱର୍ଣ୍ଣ ଆଭୁଷଣରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି

କଟକଣା ପାଇଁ ମନ୍ଦିର ବାହାରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

189

କନକ ବ୍ୟୁରୋ: କରୋନା ଯୋଗୁଁ ଫିକା ପଡ଼ିଛି ପରମ୍ପରା ପାଳନ । କରୋନା କଟକଣା ଯୋଗୁଁ ପ୍ରଭାବିତ ବୋଇତ ବନ୍ଦାଣ । ରାଜଧାନୀର ସମସ୍ତ ଜଳାଶୟ, ପୁଷ୍କରଣୀ, ନଦୀରେ ଡଙ୍ଗା ଭସାଣ ଉପରେ କଟକଣା ଜାରି କରାଯାଇଛି । କେତେ କିଛି ସ୍ଥାନରେ କଟକଣା ନମାନି ବୋଇତ ବନ୍ଦାଣ କରୁଥିବା ଦେଖିବାକୁ ମିଳିଛି । ଏପଟେ ଗାଇଡଲାଇନକୁ ପାଳନ କରି  କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିସନରେଟ ପୁଲିସ । ତେବେ କଟକଣା ସତ୍ୱେ ବୋଇତ ବନ୍ଦାଣ ହେବାର ଆଶଙ୍କାକୁ ଏଡାଇବା ପାଇଁ ସାର୍ବଜନୀନ ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି ।

ଆଜି କାର୍ତିକ ପୂର୍ଣ୍ଣିମା । ମହାପଂଚୁକ ବ୍ରତର ଅନ୍ତିମ ଦିନ ହେଉଛି କାର୍ତିକ ପୁର୍ଣ୍ଣିମା । ଏହି ତିଥିରେ ଶ୍ରୀଜିଉ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ବିଭୂଷିତ ହୋଇଛନ୍ତି । ହେଲେ କୋଭିଡ କଟକଣା ପାଇଁ ସବୁଠି ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ପୁଷ୍କରଣୀ, ମହୋଦଧିରେ ଡଙ୍ଗା ଭସାଇବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ହେଲେ କରୋନା କଟକଣା କାର୍ତିକ ପୂର୍ଣ୍ଣିମା ଫିକା ପଡ଼ିଛି ।

ସେହିପରି ଯାଜପୁର ପବିତ୍ର ବୈତରଣୀ ନଦୀ ଦଶାଶ୍ୱମେଧ ଘାଟ ଓ ବିରଜା ମନ୍ଦିର ପରିସରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଥି ସହିତ ଯାଜପୁର ସହରରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି । କାରଣ ପବିତ୍ର ବୈତରଣୀ ନଦୀର ଦଶାଶ୍ୱାମେଧ ଘାଟ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଡ଼ଙ୍ଗା ଭସାଇବାକୁ ଆସିଥାନ୍ତି । ହେଲେ ଚଳିତ ବର୍ଷ କରୋନା ପାଇଁ ମନ୍ଦିରରେ ଠାକୁର ଦର୍ଶନ ସାଙ୍ଗକୁ ଏକାଠି ହୋଇ ଡ଼ଙ୍ଗା ଭସାଇବାକୁ ବାରଣ କରାଯାଇଛି । ଯାହାକି ଶ୍ରଦ୍ଧାଳୁଙ୍କ ମନକୁ ନିରାଶ କରିଛି । ଅନ୍ୟପଟେ ଛୋଟ ଛୋଟ ଦେବାଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।