ପୁରୀ ଶଂକରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦାବି , ସାଢେ ୩ ବର୍ଷ ମଧ୍ୟରେ ହିନ୍ଦୁ ରାଷ୍ଟ୍ର ହୋଇଯିବ ଭାରତ

717

କନକ ବ୍ୟୁରୋ : ଗୋବର୍ଦ୍ଧନ ପୀଠ ପୁରୀର ଶଂକରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି କି, ଦେଶ ବିଭାଜନ ବେଳେ ମାନବାଧିକାର ଓ ସୀମା ଦୃଷ୍ଟିରୁ ସେତେବେଳେ ଭାରତକୁ ହିନ୍ଦୁ ରାଷ୍ଟ୍ରଭାବେ ଘୋଷଣା କରିଦେବାର ଆବଶ୍ୟକତା ଥିଲା । ଯାହା ଫଳରେ ଦେଶବାସୀ ଏବେ ଏଭଳି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ହେଉଛି ଦେଶର ଶାସନତନ୍ତ୍ର ଓ ରାଜନୈତିକ ଦଳମାନଙ୍କର ଦୂରଦୃଷ୍ଟିହୀନତାର ପରିଣାମ ବୋଲି ସ୍ୱାମୀ କହିଛନ୍ତି । ଅନ୍ୟପଟେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଶଂକରାଚାର୍ଯ୍ୟ କହିଛନ୍ତି କି “ମୁଁ ଅନେକ ଭାବିଚିନ୍ତି କହୁଛି କି ଭାରତ ସାଢେ ୩ ବର୍ଷ ମଧ୍ୟରେ ହିନ୍ଦୁ ରାଷ୍ଟ୍ର ହୋଇଯିବ” । ଏହା କେମିତି ହେବ ଓ ଏହାର ପ୍ରସ୍ତୁତିର ସମସ୍ତ ତଥ୍ୟ ମୋ ପାଖରେ ଅଛି । କେବଳ ଆପଣଙ୍କ ସହଯୋଗ ରହିଲେ ଏହା ସମ୍ଭବ ହୋଇପାରିବ ବୋଲି ଶଂକରାଚାର୍ଯ୍ୟ କହିଛନ୍ତି ।

ଦୁଇଦିନିଆ ଗ୍ରସ୍ତରେ ଗୋରଖପୁର ପହଂଚିବା ପରେ ଅକ୍ଟୋବର ୨୯ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶଂକରାଚାର୍ଯ୍ୟ କହିଛନ୍ତି କି ହିନ୍ଦ ମହାସାଗର ଓ ହିନ୍ଦକୁଟ ଦୁଇଟି ପ୍ରାଚୀନ ଶବ୍ଦ । ହିନ୍ଦୁରେ ଦୁଇଟି ଅକ୍ଷର, ହି-ର ଅର୍ଥ ହିମାଳୟ ଓ ଇନ୍ଦୁର ଅର୍ଥ ସରୋବର । ଏହାର ମୋଟ ଅର୍ଥ କାଶ୍ମୀର ଠାରୁ କନ୍ୟାକୁମାରୀ ହେଉଛି ହିନ୍ଦୁସ୍ତାନ ।

ଅନ୍ୟପଟେ ଦେଶର ରାଜନେତାମାନଙ୍କ ବିଷୟରେ କହିବାକୁ ଯାଇ ଶଂକରାଚାର୍ଯ୍ୟ କହିଛନ୍ତି ଯେ, ରାଜନେତାମାନେ ରାଜନୀତିର ସଠିକ୍ ପରିଭାଷା ଜାଣିବା ଦରକାର । ଦେଶରେ ରାଜନେତାମାନଙ୍କ ସଂଖ୍ୟା କମ ନାହିଁ କିନ୍ତୁ ସେମାନେ ରାଜନୀତିର ପରିଭାଷା ସହ ପରିଚିତ ନୁହଁନ୍ତି । ସୁସଂସ୍କୃତ, ସୁବ୍ୟବସ୍ଥିତ, ସୁରକ୍ଷିତ, ସମୃଦ୍ଧ ବ୍ୟକ୍ତି ଓ ସମାଜର ରଚନା ରାଜନୀତିର ପରିଭାଷା ବୋଲି ସେ କହିବା ସହ ରାଜନୀତିରେ କ୍ଷମତା ଲୋଭ ରହିବା କଥା ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ ।

ଅନ୍ୟପଟେ ସାଧାରଣ ଲୋକଙ୍କୁ ଶଂକରାଚାର୍ଯ୍ୟ ଉପଦେଶ ଦେବା ଛଳରେ କହିଥଲେ କି ସାଧାରଣ ଲୋକ ବିଧି ନିଷେଧର ପାଳନ କରିବା ଦରକାର । ମର୍ଯ୍ୟଦା ସହକାରେ ଦେବା ଦେବୀଙ୍କୁ ଦର୍ଶନ ନକଲେ ସେମାନଙ୍କର ମୂର୍ତ୍ତିର ତେଜ ନଷ୍ଟ ହୋଇଥାଏ ବୋଲି ଶଂକରାଚାର୍ଯ୍ୟ କହିଛନ୍ତି ।