ରଥଯାତ୍ରା ବନ୍ଦ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: କହିଲେ, ଜୁନ ୨୦ରେ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରିପାରିଥାନ୍ତେ ସୁପ୍ରିମକୋର୍ଟ ଆବେଦନ; ରଥ ବନ୍ଦ ପାଇଁ ଏହା ସୁନିୟୋଜିତ ଯୋଜନା

ରଘୁନାଥ ମହାପାତ୍ର କହିଲେ, ରଥଯାତ୍ରା ହେବା ଉଚିତ

888

କନକ ବ୍ୟୁରୋ: ପୁରୀରେ ରଥଯାତ୍ରା ବନ୍ଦ ହେବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସୁପ୍ରିମକୋର୍ଟ ଚାହିଁଥିଲେ ୨୦ ଜୁନରେ ଆବେଦନକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରିପାରିଥାନ୍ତେ । ବିଶେଷ ପରିସ୍ଥିତିରେ ବି କୋର୍ଟ ଅବକାଶ ଦିନରେ ଖୋଲିପରିବ । ପରମ୍ପରା ବନ୍ଦ ହେଲେ ଜଗନ୍ନାଥ କ୍ଷମା ଦେବେ କି ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ଶୁକ୍ରବାର ଦିନ କରୋନା ଯୋଗୁଁ ପୁରୀରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ରାୟ ଦେଇଥିଲେ । ଏହାପରେ ରାୟର ପୁନଃବିଚାର ପାଇଁ ଆବଦେନ କରି କୋର୍ଟରେ ୧୭ ପିଟିସନ ଦାୟର ହୋଇଛି ।

ଅନ୍ୟପଟେ, ରଥଯାତ୍ରା ବନ୍ଦ କରିବା ପାଇଁ ୧୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥପ୍ରେମୀ । ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପୁନଃବିଚାର ପାଇଁ କିଛି ବ୍ୟକ୍ତି ଓ ସଙ୍ଗଠନ ପକ୍ଷରୁ ୧୭ଟି ପିଟିସନ ଦାଖଲ ହୋଇଛି । ଶୁକ୍ରବାର ୫ଟି ପିଟିସନ ଦାଖଲ ହୋଇଥିବାବେଳେ ଶନିବାର ଆଉ ୧୨ଟି ପିଟିସନ ଦାଖଲ ହୋଇଛି । ଅନ୍ୟ ସବୁଠାରେ ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଗୋଟିଏ ପରେ ଗୋଟିଏ ମୋଡିଫିକେସନ ପିଟିସନ ଦାଖଲ ହୋଇ ଚାଲିଛି । ଦୁଇଟି ମୋଡିଫିକେସନ ପିଟିସନରେ ଆବଶ୍ୟକସ୍ଥଳେ ପୁରୀକୁ ସଟଡାଉନ କରି ରଥଯାତ୍ରା କରିବାକୁ ଅନୁରୋଧ କରାଯାଇଛି । ଏଥିରେ ରାୟରେ ଆଂଶିକ ପରିବର୍ତନ କରିବାକୁ ବି କୁହାଯାଇଛି । ତେବେ ରଥଯାତ୍ରାକୁ ଆଉ ଗୋଟିଏ ଦିନ ବାକିଥିବାବେଳେ ପିଟିସନଗୁଡିକର କେବେ ଶୁଣାଣି ହେବ ସେ ବିଷୟରେ କିଛି ଜଣାପଡିନାହିଁ ।

ମୋଡିଫିକେସନ ପିଟିସନ ଖୋଲା କୋର୍ଟରେ ହେବାକୁ ଥିବାବେଳେ ରିଭ୍ୟୁ ପିଟିସନ ବିଚାରପତିମାନେ ଚାମ୍ବରରେ ଶୁଣାଣି କରିଥାନ୍ତି । ଯେଉଁ ଖଣ୍ଡପୀଠଦ୍ୱାରା ରାୟ ପ୍ରଦାନ କରାଯାଇଥିବ ସେହି ବେଂଚରେ ହିଁ ମୋଡିଫିକେସନ ପିଟିସନର ଶୁଣାଣି ହେବ । ତେବେ ଗ୍ରୀଷ୍ମକାଳୀନ ଅବକାଶରେ କିଭଳି ଶୁଣାଣି ହେବ ସେ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଗ୍ରୀଷ୍ମକାଳୀନ ଅବକାଶରେ ଅର୍ଥାତ ଆସନ୍ତାକାଲିଠାରୁ ଦୁଇଟି ଅବକାଶ ବେଂଚ ଜରୁରୀମାମଲାଗୁଡିକର ଶୁଣାଣି କରିବେ । ଏହି ସମୟରେ ଯଦି ମୋଡିଫିକେସନ ପିଟିସନକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଏ ତାହହେଲେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବେଂଚ ହି ମାମଲାର ଶୁଣାଣି କରିବେ । ଯଦି ମାମଲାର ଗୁରୁତ୍ୱକୁ ବିଚାରପତି ହୃଦବୋଧ କରି ତୁରନ୍ତ ଶୁଣାଣି ପାଇଁ ରାଜି ହୁଅନ୍ତି, ତାହାହେଲେ ଏହାର ଶୁଣାଣି ହୋଇପାରେ । ତେବେ ଆସନ୍ତାକାଲି ମାମଲାର ଶୁଣାଣି ହେବା ଯଥେଷ୍ଟ ସମ୍ଭାବନା ରହିଛି ।