ବାଇ ଲ’ ନିଷ୍ପତ୍ତି ପ୍ରତ୍ୟାହାର ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ପୁରୀ ସେବାୟତ । 

96

କନକ ବ୍ୟୁରୋ: ବାଇ ଲ’ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ପୁରୀ ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ମଙ୍ଗଳବାର ପୁରୀରୁ କିଛି ସେବାୟତ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଯେ, ସବୁ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ । ଭାରତ ସରକାର ଯେଉଁ ଚକ୍ରାନ୍ତ କରିଥିଲେ ତାହା ଦ୍ୱାରା ପୁରୀର ଐତିହ୍ୟ ପରମ୍ପରାକୁ ନଷ୍ଟ ହୋଇଥାନ୍ତା । ମୁଖ୍ୟମନ୍ତ୍ରୀ କାଲି ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଯେଉଁଭଳି ପ୍ରାର୍ଥନା କରିଥିଲେ ଓ ସେ ଠିକ୍ ବାହାରକୁ ଆଶିବା ପରେ ଏହା ପ୍ରତ୍ୟାହାର ହୋଇଛି । ପୁରୀରେ ଯେଉଁ ସବୁ କାମ ହେଉଛି ତାକୁ ବନ୍ଦ କରିବାକୁ ଏହି ଯୋଜନା ହୋଇଥିଲା ବୋଲି ସେ କହିଛନ୍ତି । ଏଥିସହ ପୁରୀବାସୀ ଓ ସେବାୟତମାନେ ଏବେ ଖୁସିଥିବା ସେ କହିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସଂକ୍ରାନ୍ତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏକ ବାଇ ଲ’ ଜାରି କରିଥିଲେ । ଯାହା ଫଳରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥାନ୍ତା । ଏହାପରେ ଏହାକୁ ନେଇ ରାଜନୈତିକ ବୟାନବାଜି ହେବା ସହିତ ଏହି ବାଇ ଲ’ କୁ ଫେରାଇ ନିଆଯାଇଛି । ଯାହାପରେ ଏବେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ଧନ୍ୟବାଦ ଜଣାଇଛନ୍ତି ।