ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ହାଇକୋର୍ଟରେ ରିଟ୍ ପିଟିସନ । ସେବାୟତ କହିଲେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ବିକାଶ କାର୍ଯ୍ୟରେ ବାଧା ଦେଉଛନ୍ତି ।

105

କନକ ବ୍ୟୁରୋ : ପୁଣି ହାଇକୋର୍ଟରେ ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଦାଖଲ ହେଲା ରିଟ୍ ପିଟିସନ । ଶ୍ରୀମନ୍ଦିରର କିଛି ମୁଖ୍ୟ ସେବାୟତ ଦାୟର କଲେ ରିଟ୍ ପିଟିସନ ।  ଯେଉଁଥିରେ ପରିକ୍ରମା ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି । ବିକାଶ କାର୍ଯ୍ୟକୁ ବିଳମ୍ବିତ କରାନଯାଇ ଏହାକୁ ତ୍ୱରାନିତ୍ୱ କରିବାକୁ ଏଏସଆଇକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଓ ସମର୍ଥନ ଅବିଳମ୍ବେ ଜଣାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରିଟ୍ ପିଟିସନରେ ପ୍ରାର୍ଥନା କରାଯାଇଛି ।

ଏହାସହ ରିଟ୍ ପିଟିସନରେ ସେବାୟତ ମାନେ  ଅଭିଯୋଗ କରିଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଅଭିସନ୍ଧିମୂଳକ ଭାବେ ଏହି ବିକାଶମୂଳକ କାର୍ଯ୍ୟର ବାଧା ସୃଷ୍ଟି କରୁଛନ୍ତି ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତମାନଙ୍କର ସ୍ୱାର୍ଥକୁ ଉପେକ୍ଷା କରୁଛି ।  ଗତ କିଛି ଦିନ ହେବ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦେଖାଦେଇଛି । ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହେଉଥିବା ବିଭିନ୍ନ ଖନନ ପାଇଁ ଅନୁମତି ନିଆଯାଇନଥିବା ଅଭିଯୋଗ ଆସିଛି । ଏପରିକି ଏଏସଆଇର ବିନା ଅନୁମତିରେ କିଭଳି କାର୍ଯ୍ୟ ହେଉଛି ବୋଲି ପ୍ରଶ୍ନ ଉଠିଥିଲା । ଯାହାକୁ ନେଇ ହାଇକୋର୍ଟରେ ପିଆଇଏଲ ଦାୟର ହୋଇଥିଲା । ତେବେ ହାଇକୋର୍ଟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ କୌଣସି ରୋକ ଲଗାଇନଥିଲେ ।