ଆଜି ପବିତ୍ର ରଥଯାତ୍ରା, ବଡଦାଣ୍ଡର ଗଡିବ ରଥ : କୋଭିଡ୍ ନିୟମ ମାନି ପାଳନ ହେବ ଭକ୍ତଶୂନ୍ୟ ରଥଯାତ୍ରା

246

କନକ ବ୍ୟୁରୋ : ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ । ବିନା ଭକ୍ତରେ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୁରତୀ । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା । ଆଜି ରଥ ଉପରେ କନକମୁଣ୍ଡି ସ୍ଥାପନ ଓ ରଥ ପ୍ରତିଷ୍ଠା ପରେ ଧାଡ଼ି ପହଣ୍ଡିରେ ରଥାରୂଢ଼ ହେବେ ଚତୁର୍ଦ୍ଧାବିଗ୍ରହ ।

ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ସକାଳ ୫ଟାରେ ମଇଲମ, ତଡ଼ପଲାଗି, ରୋଷହୋମ ନୀତି ସମ୍ପନ୍ନ ହୋଇଛି । ସକାଳ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ବାରପାଳ ପୂଜା ହୋଇ ବେଶ‌ ଶେଷ ହୋଇଛି । ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ପରେ ସକାଳ ୮ଟାରେ ରଥ ପ୍ରତିଷ୍ଠା ହେବ । ୮ଟା ୧୫ରେ ମଙ୍ଗଳାର୍ପଣ ହୋଇ ସାଢ଼େ ୮ଟା‌ରେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ରଥରେ ବିଜେ କରିବେ । ସାଢ଼େ ୧୧ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ଭିତରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରଥକୁ ବିଜେ କରିବେ । ସାଢ଼େ ୧୨ଟାରୁ ଅପରାହ୍ଣ ଗୋଟାଏ ଭିତରେ ଚିତା ଲାଗି ନୀତି ସହ ସାଢ଼େ ୧୨ଟାରେ ବେଶ ଶେଷ ପରେ ୧୨ଟା ୪୫ରୁ ଅପରାହ୍ଣ ୨ଟା ଭିତରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ହେବ। ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବ।

ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ ଭକ୍ତମାନେ ଯେଭଳି ବଡ଼ଦାଣ୍ଡ ଆସିବେ ନାହିଁ ସେଥିପାଇଁ ଗଳିକନ୍ଦିରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେହିଭଳି, ଶ୍ରଦ୍ଧାଳୁମାନେ ଯେଭଳି ନିଜ ଛାତ ଓ ବାଲକୋନୀକୁ ଯିବେ ନାହିଁ, ତା ଉପରେ ମଧ୍ୟ ପୁଲିସ୍ ପ୍ରଶାସନର ନଜର ରହିବ । କରୋନା କାଳରେ ହେଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରାରେ ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଲାଗିଛି । ତେଣୁ ଘରେ ରହି ଟିଭି କିମ୍ବା ଡିଜିଟାଲ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।