ମହଙ୍ଗା ପଡିଲା ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ : ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଶ୍ରୀମନ୍ଦିର ପ୍ରଶାସନ

50

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତର କାଠରେ ଭକ୍ତଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତଙ୍କଠାରୁ ସୁନା ଚେନ ଛଡାଇନେବା ସହ ନିର୍ଘାତ ମାଡ ମାରିବା ଘଟଣା ମହଙ୍ଗା ପଡିଛି । ଶ୍ରୀମନ୍ଦିର ପ୍ରଶାସନ, ଦୁଇ ସେବାୟତ ସୋମନାଥ ମେକାପ ଓ ମଦନ ଖୁଂଟିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେବାରୁ ନିଲମ୍ବିତ କରିଛି । ସୋମବାର ଦିନତମାମ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ପରେ ମନ୍ଦିର ପ୍ରଶାସନ ଓ ଦୁଇ ନିଯୋଗ ଏଭଳି କଠୋର ନିଷ୍ପତି ନେଇଛନ୍ତି ।

ରବିବାର ମହାରାଷ୍ଟ୍ର ଥାନେ ଅଂଚଳର ଜଣେ ଭକ୍ତ ଚେତନ ଗଣପତି ଜୀ ଅମୋଲକର ତାଙ୍କ ସ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ । ତେବେ ଭିତରକାଠ ନିକଟରେ ଏହି ଦମ୍ପତି ସହ ଦାନ ଅର୍ଥକୁ ନେଇ ସେବାୟତଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦୁଇ ସେବାୟତ ତାଙ୍କୁ ନିର୍ଘାତ ମାଡ ମାରିବା ସହ ସୁନା ଚେନ ଛଡାଇ ନେଇଥିବା ଲିଖିତ ଅଭିଯୋଗ କରିଥିଲେ ଚେତନ । ଘଟଣାପରଠାରୁ ଦୁଇ ସେବାୟତ ଫେରାର ଥିବାବେଳେ ପୋଲିସ ଏନେଇ ଛାନଭିନ ଚଳାଇଛି । ହେଲେ ବାହାରୁ ଆସୁଥିବା ଭକ୍ତ ବା ପର୍ଯ୍ୟଟକଙ୍କୁ ଏଭଳି ଅଶୋଭନୀୟ ଆଚରଣ ବିରୋଧରେ କଠୋର ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଗାରିମା କ୍ଷୁର୍ଣ୍ଣ ହେଉଥିବାରୁ ଆଗକୁ ଏଭଳି ଅଘଟଣ ଏଡାଇବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।