ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ : ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପାଚେରୀରେ ବହୁ ଦିନରୁ ଥିଲା ଫାଟ

ପାଣି ଗଳୁ ଥିବାରୁ ତତ୍ପର ହେଲା ପ୍ରତ୍ନତତ୍ତ୍ବ ବିଭାଗ; ବନ୍ଧା ହେଲା ଭାରା, ଖୋଳା ଗଲା କାନ୍ଥ

77

କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ ହୋଇଛି । ସେହିଭଳି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଲୁହାର ଭାରା ମଧ୍ୟ ବନ୍ଧାଯାଇଛି । ସେପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ ପ୍ରାଚୀର ମରାମତି ପାଇଁ ବି ଭାରା ବନ୍ଧା ହୋଇଛି । ବହୁଦିନରୁ ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପ୍ରାଚୀରରେ ଫାଟ ସୃଷ୍ଟି ହୋଇଥିଲା । ଅନେକ ଜାଗାରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠ, ମନ୍ଦିର ଉଚ୍ଛେଦ ବେଳେ ବି ପାଣି ଗଳିବାର ଦେଖିବାକୁ ମିଳିଥିଲା । ଏହି ଫାଟ ଆଗକୁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ପ୍ରତ୍ନତତ୍ତ୍ବ ବିଭାଗ ଏହାର ମରାମତି କାମ ଆରମ୍ଭ କରିଛି । କିଛି ବ୍ୟକ୍ତି ଭାରାରେ ଚଢ଼ି ରାମଦୟା ପରିଷଦକୁ ଲାଗି ମେଘନାଦ ପ୍ରାଚୀର ଖୋଳୁଥିବା ଦେଖିବାକୁ ମିଳିଛି। ଫାଟ ସ୍ଥାନରୁ ପଥର ଛଡ଼ାଯାଉଛି । ସେହିଭଳି ଶ୍ରୀମନ୍ଦିର ଭିତରେ ନାଟମଣ୍ଡମ-ଜଗମୋହନ ସଂଯୋଗ ସ୍ଥଳରେ ସଦାସର୍ବଦା ପାଣି ଗଳୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଆଗକୁ ବର୍ଷା ଦିନ ଥିବାରୁ ଏଠାରେ ପୁନର୍ବାର ପାଣି ଗଳିବା ଆଶଙ୍କା ରହିଛି । ଏଠାରେ ଭାରା ବନ୍ଧାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।