କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି । ମାର୍ଗଦର୍ଶିକାରେ ଗଠିତ ୧୧ ଜଣିଆ କମିଟିର ସଦସ୍ୟମାନେ ଆଜି ସକାଳେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରି ଅନୁମତି ନେଇଥିଲେ । ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଉଚ୍ଚସ୍ତରୀୟ କମିଟିର ଏକ ବୈଠକ ବସି ସମସ୍ତ ପ୍ରସ୍ତୁତି ନେଇ ଚୂଡାନ୍ତ ରୂପରେଖ ସ୍ଥିର ହୋଇଥିଲା । ପରେ କମିଟି ସଦସ୍ୟମାନେ ମିଳିତ ଭାବେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମା ବିମଳା, ମା ଲକ୍ଷ୍ମୀ ତଥା ବେଢାସ୍ଥିତ ଦେବାଦେବୀଙ୍କ ଦର୍ଶନ କରିଥିଲେ କମିଟି ସଦସ୍ୟ । ଏହାପରେ ପାରମ୍ପରକି ଧୋତି ଏବଂ ଗାମୁଛା ପରିଧାନ କରି ଶୁଭ ବେଳା ଦିନ ୧ଟା ୨୮ ମିନିଟରେ ଜଗମୋହନଙ୍କୁ ପ୍ରବେଶ କରିଥିଲେ ।

ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନ ଭଣ୍ଡାର ୩ଟି ଚାବି ରହିଥାଏ । ଗୋଟିଏ ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ, ଗୋଟିଏ ଚାବି ଭଣ୍ଡାର ମେକାପ ଏବଂ ଶେଷ ଚାବି ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ନିକଟରେ ଥାଏ । ଏହି ତିନୋଟି ଚାବି ବ୍ୟବହାର କରି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଛି । ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା ।

ଏହାପରେ ପରବର୍ତ୍ତୀ କୋଠରୀ ଭାବେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରସ୍ତୁତି ହୋଇଥିଲା । ଭିତର ରତ୍ନଭଣ୍ଡାରରେ ୩ଟି ତାଲା ଲାଗିଥିଲା । ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଚାବିରେ ସମସ୍ତ ତାଲା ଖୋଲିବା ଉଦ୍ୟମ କରାଗଲା । କିନ୍ତା ତାଲା ଖୋଲି ନଥିଲା । ତେଣୁ ରାଜ୍ୟ ସରକାରଙ୍କ ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ତାଲାକୁ ଭଙ୍ଗାଯାଇଥିଲା । ତାଲା ଭାଙ୍ଗିବା ପରେ ଦୀର୍ଘ ୪୬ ବର୍ଷ ପରେ ପ୍ରଥମ ଥର ଲାଗି ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ କମିଟି ସଦସ୍ୟମାନେ । ତେବେ ଭିତର ରତ୍ନଭଣ୍ଡାରରେ ଥିବା ଜିନିଷାତ୍ ସ୍ଥାନାନ୍ତର କରିବା ସମୟ ସାପେକ୍ଷ ହୋଇଥିବା କମିଟି ଅନୁଭବ କରିଥିଲେ । ସେହିପରି ଆସନ୍ତାକାଲି ବାହୁଡାଯାତ୍ରା ଥିବାରୁ ନୀତିକାନ୍ତି ସୁପରିଚାଳନା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ସମସ୍ତ ଦିଗକୁ ବିଚାର କରି ରଥଯାତ୍ରା ଶେଷ ହେବା ପରେ ଆଉ ଏକ ଦିନରେ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର କରିବାକୁ ସ୍ଥିର ହେଲା । ଶେଷରେ ଭିତର ରତ୍ନଭଣ୍ଡାରରେ ୨ଟି ନୂଆ ତାଲା ଲଗାଯାଇ ଏହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର ଶେଷ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହାର ମରାମତି ପାଇଁ ହସ୍ତାନ୍ତର କରାଯିବ । ପ୍ରତ୍ନତତ୍ତ୍ବ ବିଭାଗ ମରାମତି ଶେଷ କରିବା ପରେ ପୁଣିଥରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ସମସ୍ତ ଅଳଙ୍କାର ରତ୍ନଭଣ୍ଡାର ଭିତରକୁ ନିଆଯିବ । ଏବଂ ରତ୍ନଭଣ୍ଡାର ଭିତରେ ହିଁ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଗଣତି ତଥା ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ଏଥି ସହିତ ଦୀର୍ଘ ୪୬ ବର୍ଷ ପରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସହଯୋଗ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ହାଇଲେଭେଲ୍ କମିଟିର ସମସ୍ତ ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟବୃନ୍ଦ, ସମସ୍ତ ସେବାୟତ ନିଯୋଗ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ଗଣମାଧ୍ୟମ ଏବଂ ସର୍ବୋପରି ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧନ୍ୟବାଦ ଦେଇଛନ୍ତି ।