ଆଜି ଶ୍ରୀକ୍ଷେତ୍ର ଭଉଁରୀ…ସରିଲା ବାହାର ଚନ୍ଦନ: ପରମ୍ପରା ଅନୁସାରେ ଭଉଁରୀରେ ଆଜ୍ଞାମାଳ ବିଜେ ପରେ ୩ ରଥର ଅଖରେ ଲାଗିବ ୬ଟି ଚକ

ସେପଟେ ଆଗେଇ ଚାଲିଛି ରଥ ନିର୍ମାଣ

233

କନକ ବ୍ୟୁରୋ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଚଳିତ ବର୍ଷ କରୋନା କାରଣରୁ ବାହାର ଚନ୍ଦନ ନୀତି ସଂପନ୍ନ ହେଉଛି ମନ୍ଦିର ଭିତରେ । ତେଣୁ ଶ୍ରୀକ୍ଷେତ୍ରରେ ଭଉଁରୀର ସମସ୍ତ ନୀତି ଏଥର ମଧ୍ୟ ମନ୍ଦିର ଭିତରେ କରାଯିବ । ସେପଟେ ପରମ୍ପରା ଅନୁଯାୟୀ ଆଜି ତିନି ରଥର ୩ ନାହାକା ଅଖରେ ଚକ ସଂଯୋଗ ଅନୁକୂଳ କରାଯିବ । ଏହିକ୍ରମରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଯିବ । ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ପରେ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯିବ ।

ଏହା ପରେ ରଥ ଚକ ଅଖ ଯୋଡା କାମ ଅନୁକୂଳ କରାଯିବ । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ନିର୍ମାଣ ଶେଷ ହୋଇସାରିଛି । ଆଉ ୩୬ ଟି ଚକ ତିଆରି ହେବ । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡା ଯିବ । ଆଗକୁ ସ୍ନାନ ପୂର୍ଣ୍ଣମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି ।