ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି : ଆଜି ଦକ୍ଷିଣମୋଡ ନେବ ୩ ରଥ; ନାକଚଣା ଦ୍ୱାର ସମ୍ମୁଖ ଶରଧା ବାଲିକୁ ନେବେ ସେବାୟତ ଓ ପୋଲିସ

220

କନକ ବ୍ୟୁରୋ : ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ରଥ ଆଜି ଦକ୍ଷିଣମୋଡ଼ ନେବେ । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି ।

ସେବାୟତ, ପୋଲିସଙ୍କ ସହାୟତାରେ ୩ରଥକୁ ଶରଧାବାଲିକୁ ନିଆଯିବ । ରଥଯାତ୍ରା ପରଠାରୁ ୩ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି । ୩ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ରଖାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । ସାଢ଼େ ୧୨ଟା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ରଥକୁ ଦକ୍ଷିଣ ମୋଡ ନିଆଯିବ । ପରମ୍ପରା ଅନୁଯାୟୀ, ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ନିଆଯିବ । ଏହା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁହାଁ କରି ରଖାଯିବ ।