ଶରଧାବାଲିରେ ତିନି ଠାକୁର । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କଲେ ଚତୁର୍ଦ୍ଧାମୂର୍ତ୍ତି, ‘ଜଗା’ ଧ୍ୱନିରେ ପ୍ରକମ୍ପିତ ହେଲା ବଡଦାଣ୍ଡ ।

191

କନକ ବ୍ୟୁରୋ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ କଳାଠାକୁରଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି । ଭାବମୟ ପରିବେଶରେ ଘଣ୍ଟକାହାଳୀ ନାଦରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥକୁ ଟାଣିନେଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରତ୍ନବେଦୀରୁ ଜନ୍ମବେଦୀକୁ ଆଜି ଯାତ୍ରା କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଗୁଣ୍ଡିଚାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ଶରଧାବାଲିରେ ପହଁଚିଛି ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଓ ଦେବୀଦଳନ । ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସବୁ ନୀତିକାନ୍ତି ହୋଇଥିଲା । ଏପରିକି ଅନେକ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା । ସକାଳ ସାଢେ ୮ଟାରେ ଆରମ୍ଭ ହୋଇଥିଲା ସୁଦର୍ଶନଙ୍କ ପହଣ୍ଡି । ପରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା ।

ଅନୁକୂଳ ପାଗ ଓ ମଝିରେ ଝିପ୍ ଝିପ୍ ବର୍ଷା, ବଡଦାଣ୍ଡରେ ଏକତ୍ରିତ ହୋଇଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଶ୍ୱସ୍ତ କରିଥିଲା । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ସୁନା ଖଡିକାରେ ଛେରା ପହଁରା କରିବା ପରେ ପ୍ରାୟ ଦେଢଟାରେ ଚାରମାଳ ଫିଟାଯାଇଥିଲା । ଏହାପରେ ୨ଟା ୧୫ରେ ଆରମ୍ଭ ହୋଇଥିଲା ରଥଟଣା । ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ପୁରୀ ବଡଦାଣ୍ଡରେ ଅପୂର୍ବ ଭକ୍ତିମୟ ସୃଷ୍ଟି ହୋଇଥିଲା । ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିଲେ । ପ୍ରଶାସନର କହିବା ଅନୁସାରେ ୮ରୁ ୧୦ ଲକ୍ଷ ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବା ପାଇଁ ପୁରୀ ପହଁଚିଥିଲେ । ସନ୍ଧ୍ୟା ହେବା ପୂର୍ବରୁ ଶରଧାବାଲିରେ ଦେବୀଦଳନ ଓ ତାଳଧ୍ୱଜ ରଥ ପହଁଚିଯାଇଥିଲେ । କିଛି ସମୟ ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମଧ୍ୟ ପହଁଚିଯାଇଥିଲା । ଆଜି ରଥ ଉପରେ ତିନି ଠାକୁରଙ୍କ ନୀତିକାନ୍ତି କରାଯିବ । ଆସନ୍ତାକାଲି ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଧାମୂର୍ତି ।