କନକ ବ୍ୟୁରୋ: ଆଜି ହରିଶୟନ ଏକାଦଶୀରେ ସୁନାବେଶ (ବଡ଼ ଚଢ଼ାଉ ବେଶ)ରେ ଦର୍ଶନ ଦେବେ ମହାପ୍ରଭୁ। ସର୍ବଦା ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ରତ୍ନଖଚିତ ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୁପା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ସୁନାର କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି ହେବ। ଏହି ବିରଳ ମୁହୂର୍ତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିବର୍ଷ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏହାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସଂଧ୍ୟା ୫ଟାରେ ତିନି ଠାକୁରଙ୍କ ସୁନାବେଶ ନୀତି ଆରମ୍ଭ ହେଉଥିବା ବେଳେ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୧ଟାରେ ସୁନାବେଶ ଓଲାଗି ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି।
ତେବେ ଭକ୍ତଙ୍କୁ ଦେଖି ଦର୍ଶନ ସମୟ ବି ବୃଦ୍ଧି କରାଯାଇପାରେ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ସହ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।
ଆଜିର ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଭୋର ୬ରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଶେଷ ହୋଇଛି । ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ପୂର୍ବାହ୍ଣ ୧୦ରୁ ସାଢ଼େ ୧୦ଟା ଗୋପାଳ ବଲ୍ଲଭ, ପୂର୍ବାହ୍ଣ ୧୧ରୁ ୧୨ଟା ସକାଳଧୂପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ମଇଲମ, ଅପରାହ୍ଣ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ରୁ ୩ଟାରେ ମଧ୍ୟାହ୍ନ ଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ୪ଟାରେ ଶାଢ଼ୀ ଖଣ୍ଡୁଆଲାଗି ଓ ସଂଧ୍ୟା ଆଳତି, ସାଢ଼େ ୪ଟାରେ ଏକାଦଶୀ ସର୍ବାଙ୍ଗ ନୀତି ସଂପନ୍ନ ହେବ।
ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ କରାଯିବ। ପରେ ଭକ୍ତଙ୍କ ସୁନାବେଶ ଦର୍ଶନ ଆରମ୍ଭ ହେବ। ରାତି ୮ଟାରୁ ୯ଟା ସଂଧ୍ୟାଧୂପ, ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତି ୧୦ଟାରୁ ୧୧ଟା ସୁନାବେଶ ମଇଲମ, ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ୧୨ଟା ୪୫ରେ ମଇଲମ, ରାତି ଗୋଟାଏରେ ମହାସ୍ନାନ ପୂଜା, ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ, ଗୋଟାଏ ୪୦ରେ ମହାସ୍ନାନ ଶେଷ, ଗୋଟାଏ ୫୦ରେ ମଇଲମ, ୨ଟା ୧୦ରେ ଚନ୍ଦନ ଲାଗି, ୩ଟାରେ ବଲ୍ଲଭ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଲ୍ଲଭ ବଡ଼ସିଂହାର ଭୋଗ, ଭୋର ୪ଟାରେ ହରିଶୟନ ନୀତି ଓ ରାତ୍ର ପହୁଡ଼ ନୀତି ସଂପନ୍ନ ହେବ। ଆଜି ସୁନାବେଶ ଶେଷ ପରେ ଆସନ୍ତାକାଲି ଅଧରପଣା ଓ ଗରୁଡ଼ ଶୟନ ନୀତି, ୨୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/Sunabesa.jpg)