କେମିତି ପୁରୀ ରଥଯାତ୍ରାରେ ବନ୍ଦ ହେଲା ହାତୀ ସାମିଲ ହେବାର ପରମ୍ପରା? ୨୦୦୨ରେ ଉତ୍ତରପ୍ରଦେଶରୁ ଆସିଥିଲା ଲକ୍ଷ୍ମୀ ହାତୀ । ଏହାପରେ କ’ଣ ହୋଇଥିଲା? ପଢ଼ନ୍ତୁ ପୂରା କାହାଣୀ

1,227

କନକ ବ୍ୟୁରୋ: ଚର୍ଚ୍ଚାକୁ ଆସିଲା ୧୮ ବର୍ଷତଳର ସେହି ଦିନର ଏକ ଫଟୋ । ଯେଉଁ ଫଟୋର ଆଜି ଦିନରେ ଗୁରୁତ୍ୱ ଏଥିପାଇଁ ରହିଛି, ଯେହେତୁ ହାତୀ ଦ୍ୱାରା ରଥ ଟଣା କଥା ଚର୍ଚ୍ଚାକୁ ଆସିଛି । ୨୦୦୨ ଜୁନ୍ ୨୪ ତାରିଖରେ ରଥଯାତ୍ରାରେ ସାମିଲ ହେବା ପରେ ପୁରୀରୁ ଜଗନ୍ନାଥ ସଡକ ଦେଇ ଫେରୁଥିଲେ ଉତର ପ୍ରଦେଶରୁ ଆସିଥିବା ତିନି ହାତୀ । ଫେରିବା ସମୟରେ ବୀର ନରସିଂହପୁର ନିକଟ ବାଲିଗୋରଡି ଗାଁରେ ମାଇହାତୀ ଲକ୍ଷ୍ମୀ ଅସୁସ୍ଥ ହୋଇପଡିଥିଲା । ଆଉ ଚାଲିପାରିନଥିଲା । ଦେଖିବାରୁ ଜଣାପଡିଥିଲା ହାତୀର ଏକ ଗୋଡ ଖଣ୍ଡିଆ ହୋଇଛି । ପରଦିନ ସମ୍ବାଦ ଖବର କାଗଜରେ ପ୍ରକାଶ ପାଇଥିବା ଏହି ରିପୋର୍ଟ କହୁଛି, ହାତୀଟି ରଥଯାତ୍ରାରେ ସାମିଲ ହୋଇଥିବାରୁ ସାରା ଅଂଚଳରେ ଏହି ହାତୀ ପ୍ରତି ଧର୍ମ ଭାବନା ଜାଗ୍ରତ ହୋଇଥିଲା । ପ୍ରାୟ ୫୦ ଜଣ ଲୋକ ଅସୁସ୍ଥ ହାତୀ ଚିକିତ୍ସାରେ ଲାଗିପଡିଥିଲେ ।

୨୦୦୨ ରଥଯାତ୍ରା ବେଳେ ସବୁଠୁ ଆଗରେ ଥିଲା ମାଈହାତୀ ଲକ୍ଷ୍ମୀ । କିନ୍ତୁ ଫେରନ୍ତା ବାଟରେ ଅସୁସ୍ଥ ହେବା ପରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ତାହାର ଚିକିତ୍ସା କରିଥିଲେ । ଏପରିକି ରାଜ୍ୟ ସରକାର କେରଳରୁ ବିଶେଷଜ୍ଞ ଡାକ୍ତର ମଧ୍ୟ ଡକାଇଥିଲେ । କିନ୍ତୁ ଲକ୍ଷ୍ମୀର ସ୍ୱାସ୍ଥ୍ୟରେ ସୁଧାର ଆସି ନଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକେ ଅସୁସ୍ଥର ହାତୀର ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରିଥିଲେ । ହେଲେ ୧୦ ଦିନ ପରେ ଅଗଷ୍ଟ ୫ ତାରିଖରେ ହାତୀଟି ଆଖିବୁଜି ଦେଇଥିଲା ।

ହାତୀଟି ମୃତ୍ୟୁବରଣ କରିବା ପରେ ଏହି ଗାଁରେ ଗାତ ଖୋଳାଯାଇ ତାକୁ ପୋତି ଦିଆଯାଇଥିଲା । ଏବଂ ସେହି ସ୍ଥାନରେ ଏକ ପିଣ୍ଡି ମଧ୍ୟ ନିର୍ମାଣ କରାଯାଇଥିଲା । ଆଜି ବି ସେହି ପିଣ୍ଡି ହାତୀ ଲକ୍ଷ୍ମୀର ମୃତ୍ୟୁର କାହାଣୀକୁ ମନେ ପକାଇ ଦେଉଛି । ୨୦୦୨ ଅଗଷ୍ଟ ୫ ତାରିଖର ଏହି ଘଟଣା ପରେ ପୁରୀ ରଥ ଯାତ୍ରାରେ ହାତୀକୁ ସାମିଲ କରିବା ପରମ୍ପରା ବନ୍ଦ ହୋଇଯାଇଛି ।