ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । କଟକଣା ଭିତରେ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କୁ କମିଟିର ପ୍ରସ୍ତାବ । ସୀମିତ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହେଉ ରଥଯାତ୍ରା

436

କନକ ବ୍ୟୁରୋ: କରୋନା କଟକଣା ଭିତରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ଏ ନେଇ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ବଡ଼ ନିଷ୍ପତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏ ନେଇ ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଓ ପୁରୀରେ ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ପୁରୀରେ କଟକଣା ସହ ରଥଯାତ୍ରା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ତେବେ ରଥଯାତ୍ରା ହେବ କି ନାହିଁ ଏ ନେଇ ଚୂଡ଼ାନ୍ତ ନିଷ୍ପତି ନେବେ ସରକାର ।

ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ
ରଥଯାତ୍ରା ହେଉ, ସାମିଲ ନ ହୁଅନ୍ତୁ ଭକ୍ତ
ଭକ୍ତଙ୍କୁ ବଡ଼ଦାଣ୍ଡକୁ ଛଡ଼ା ନଯାଉ
ସୀମିତ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହେଉ ରଥଯାତ୍ରା
ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କଟକଣା ସହ ପାଳନ ହେଉ

ଲକଡାଉନ୍ କଟକଣା ଯୋଗୁଁ ମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ଧାର୍ମିକ ସମାବେଶ ଉପରେ ମଧ୍ୟ କଟକଣା ଲାଗିଛି । ରବିବାର ଦିନ ଶେଷ ହେଉଛି ସରକାରଙ୍କ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାପରେ ଆରମ୍ଭ ହୋଇପାରେ ପଂଚମ ପର୍ଯ୍ୟାୟ ଲକଡାଉନ୍ । ପୁରୀ ଗଜପତି କହିଛନ୍ତି, ନୀତି ବନ୍ଦ ହେବା ଅନୁଚିତ, ତେବେ କରୋନା ସଂକ୍ରମଣରୁ ସୁରକ୍ଷିତ ରହି ରଥଯାତ୍ରା ପାଳନ କରାଯାଉ ।

ସ୍ନାନଯାତ୍ରାର ସମସ୍ତ ରୀତିନୀତି ଶ୍ରୀମନ୍ଦିର ଭିତରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମ ପାଳନ ସହ ଅନୁଷ୍ଠିତ ହେଉଥିବାରୁ କିଛି ସମସ୍ୟା ନାହିଁ । ଆସନ୍ତା ଜୁନ ୫ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏହି ଉତ୍ସବରେ ସାମିଲ ହେବେନାହିଁ ସାଧାରଣ ଦର୍ଶକ । ତେବେ କେତେ ସେବାୟତ ଏବଂ କିଏ କିଏ ଏହି ଯାତ୍ରାରେ ଉପସ୍ଥିତ ରହିବେ, ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ।

ଜୁନ ୨୩ ତାରିଖରେ ରଥଯାତ୍ରା । ରଥନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । କଟକଣା ଭିତରେ ଶ୍ରୀମନ୍ଦିର ଭିତରେ ସ୍ନାନପୂର୍ଣ୍ଣିମା ନୀତି ସଂପାଦନ ହେବାକୁ ଯାଉଛି । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଥିବାରୁ ରଥଯାତ୍ରା ସଂପର୍କରେ ନିଷ୍ପତି ନେବେ ସରକାର ।