ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ : କେହି ନଥିବା ବେଳେ ଘରେ ପଶି ଜୋର ଜବରଦସ୍ତ କରୁଥିଲା ଦୁର୍ବୃତ୍ତ

ପ୍ରତିବାଦ କରିବାରୁ ପୀଡିତାକୁ ପିଢାରେ ପିଟି ଫଠାଇଲା ମୁଣ୍ଡ; ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି , ପୁରୀ ଜିଲ୍ଲା ଗୋପ ଥାନା ଅଂଚଳରେ ଚାଂଚଲ୍ୟ

313

କନକ ବ୍ୟୁରୋ : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବଂଚିବା ପାଇଁ ସଂଘର୍ଷ କରୁଛି ପୀଡିତା । ଏଭଳି ଏକ ଲଜ୍ଜାଜନକ ଖବର ଆସିଛି ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୪ ବର୍ଷର ନାବାଳିକାକୁ ତାଙ୍କ ଗାଁର ଅଭୟ ଭୁୟାଁ ନାମକ ଯୁବକ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲା ।

ଗତ ରବିବାର ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଅଭୟ । ନାବାଳିକା ଜଣଙ୍କ ପ୍ରତିବାଦ କରିବାରୁ ଅଭିଯୁକ୍ତ ଅଭୟ ଏକ ପିଢ଼ା ସାହାଯ୍ୟରେ ନାବାଳିକାର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ପ୍ରହାର ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ଜଣଙ୍କ ତଳେ ପଡିଯିବା ସହ ଚିତ୍କାର କରିଥିଲା । ହେଲେ ,ଘରେ କେହି ନଥିବାରୁ ଚିତ୍କାର କାହାକୁ ଶୁଭିନଥିଲା । ଦୀର୍ଘ ସମୟ ପଡି ରହିବା ପରେ, ପରିବାର ଲୋକ ପହଞ୍ଚି ପୀଡିତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ନାବାଳିକା ଜଣଙ୍କ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏନେଇ ଗୋପ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଅଭିଯୁକ୍ତର ବାପା ମାଆଙ୍କୁ ପୋଲିସ ଆଣି ପଚରାଉଚରା କରୁଛି । ହେଲେ, ମୁଖ୍ୟ ଅଭିଯୁକ୍ତକୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏବଂ ତାକୁ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।