କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ପୁରୀ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଭୋଟ ପାଇଁ ସମୟ ଯେତିକି ପାଖେଇ ଆସୁଛି ପୁରୀ ରାଜନୀତି ସେତିକି ରୋଚକ ହେଉଛି । ପ୍ରତିଦିନ ବଦଳୁଛି ପୁରୀ ରାଜନୀତିର ସମୀକରଣ । ଆଉ ଏହି ସମୀକରଣ ବଦଳିବା ପଛର ବଡ ନାୟକ ସାଜିଛନ୍ତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ପ୍ରସନ୍ନ ମିଶ୍ର । ଆଉ ପ୍ରସନ୍ନଙ୍କୁ ନିଜ କ୍ୟାମ୍ପରେ ସାମିଲ କରି ପଞ୍ଚାୟତ ରାଜନୀତିରେ ପୂର୍ବତନ ବିଧାୟକ ମହେଶ୍ୱର ଯେଉଁ ଗୋଟିଚାଳନା କରିଛନ୍ତି ତାହା ବିରୋଧୀ କ୍ୟାମ୍ପର ନିଦ ହଜାଇ ଦେଇଛି । ଆଉ ପ୍ରସନ୍ନଙ୍କ ଏଣ୍ଟ୍ରି ହିଁ ମହେଶ୍ୱରଙ୍କୁ ପୁଣିଥରେ ପୁରୀ ରାଜନୀତିରେ ଆକ୍ଟିଭମୋଡକୁ ଆଣିଛି । ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ପ୍ରଥମଥର ପାଇଁ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ ଚେକମେଟ ଦେଇଛନ୍ତି ମହେଶ୍ୱର । ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ମଧ୍ୟ ଦଳରେ ସାମିଲ କରି ମାଷ୍ଟରଷ୍ଟ୍ରୋକ ମାରିବା ଲକ୍ଷ୍ୟରେ ରହିଛନ୍ତି ମହେଶ୍ୱର ।
ରାଜନୀତିରେ ସବୁ ସମ୍ଭବ । ରାଜନୀତିରେ ପ୍ରତି ମୁହୂର୍ତ୍ତରେ ନୀତି, ନୈତିକତା କବର ନିଏ । କେତେବେଳେ ଶତ୍ରୁ ପାଲଟିଯାଏ ମିତ୍ର ତ ପୁଣି କେତେବେଳେ ସେହି ମିତ୍ର ହିଁ ଶତ୍ରୁ ପାଲଟିଯାଆନ୍ତି । ରାଜନୀତିରେ ସ୍ଥ୍ାୟୀତ୍ୱ ବୋଲି କିଛି ନଥାଏ । କେତେବେଳେ କିଏ କ୍ୟାମ୍ପ ପରିବର୍ତ୍ତନ କରିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହୋଇପଡେ । ଠିକ୍ ଯେମିତି ପୁରୀରେ ଏବେ ଦେଖିବାକୁ ମିଳିଛି । ପୁରୀ ସଦର ଅଞ୍ଚଳରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଗୋଟିଚାଳନା ସମସ୍ତଙ୍କୁ ଚକିତ କରିଛି । କାରଣ ସଦର ବ୍ଲକର ଏକମାତ୍ର ନିଦ୍ୱର୍ନ୍ଦ୍ୱ ସମିତି ସଭ୍ୟ ପ୍ରାର୍ଥୀ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ବିଜେଡିରେ ମିଶାଇବା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି । ଆଉ ପ୍ରସନ୍ନଙ୍କୁ ବିଜେଡିରେ ମିଶାଇ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଅଙ୍କକୁ ମହେଶ୍ୱର ବିଗାଡି ଥିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ପ୍ରସନ୍ନଙ୍କ ବିଜେଡିରେ ଯୋଗଦାନ ଦଳ ଭିତରେ ମଧ୍ୟ ବଡଧରଣର ବିଦ୍ରୋହ ସୃଷ୍ଟି କରିବ ବୋଲି କୁହାଯାଉଛି । କାରଣ ପ୍ରସନ୍ନ ଶଙ୍ଖ ଧରିବା ପରଠାରୁ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ପୁଣିଥରେ ବ୍ଲକ ଅଧ୍ୟକ୍ଷ ପଦରେ ବସିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ ସେଥିରେ ଏକପ୍ରକାର ଗ୍ରହଣ ଲାଗିଥିବା କୁହାଯାଉଛି । କାରଣ ପ୍ରସନ୍ନଙ୍କୁ ବ୍ଲକ ଅଧ୍ୟକ୍ଷ ପଦରେ ବସାଇବାକୁ ଅଲିଖିତ ପ୍ରତିଶ୍ରୁତି ମହେଶ୍ୱରଙ୍କ ଠାରୁ ମିଳିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଆଉ ଏଭଳି ମୁଲଚାଲ ଏବେ ଦିବାକରଙ୍କ ସ୍ୱପ୍ନରେ ବଡ ବାଧକ ହୋଇଥିବା କୁହାଯାଉଛି ।
ପୁରୀ ସଦର ବ୍ଲକର ସମଙ୍ଗ ପଞ୍ଚାୟତରେ ସମିତି ସଭ୍ୟ ପାଇଁ ୪ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବରିଷ୍ଠ ଆଇନଜୀବୀ ପ୍ରସନ୍ନ ମିଶ୍ରଙ୍କ ସମେତ ବିଜେଡିରୁ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଦିବାକର ପାତ୍ର, ସ୍ବାଧୀନ ପ୍ରାର୍ଥୀ ଭାବେ ଲୋକନାଥ ପରିଡ଼ା ଓ କାର୍ତ୍ତିକ ଦାସ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ କରିଥିଲେ। ପ୍ରାର୍ଥିପତ୍ର ଯାଞ୍ଚ ପରେ ବି ୪ଜଣଙ୍କ ପ୍ରାର୍ଥିପତ୍ର ବୈଧ ରହିଥିଲା। କିନ୍ତୁ ପ୍ରତ୍ୟାହାର ତାରିଖରେ ଦିବାକର ପାତ୍ରଙ୍କ ସହ ଦୁଇ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ଫଳରେ ସମଙ୍ଗ ପଞ୍ଚାୟତରୁ ଏକମାତ୍ର ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରସନ୍ନ ମିଶ୍ର ମୈଦାନରେ ରହିଥିଲେ । ଅନ୍ୟପଟେ ବିଜେଡି ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଦିବାକର ପାତ୍ର ସଦର ବ୍ଲକର ବାଲିପଡ଼ା ଓ ସମଙ୍ଗ ପଞ୍ଚାୟତର ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବାଲିପଡ଼ା ପ୍ରାର୍ଥିପତ୍ର କାଏମ ରହିଥିବାବେଳେ ସମଙ୍ଗରୁ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଥିଲା। ଦିବାକର ପାତ୍ରଙ୍କ ଭଳି ଜଣେ ବରିଷ୍ଠ ବିଜେଡି ନେତା ଓ ମହେଶ୍ବରଙ୍କ ଦୃଢ଼ ସମର୍ଥିତ ପ୍ରାର୍ଥୀ ସମଙ୍ଗ ପଞ୍ଚାୟତରୁ ଓହରିଯିବା ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା।
ସେହିଭଳି ପ୍ରସନ୍ନ ମିଶ୍ର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ନେଇ ବାଟ ଫିଟିବା ପରେ ବିଜେପି ତାଙ୍କୁ ନିଜ ସମର୍ଥିତ ପ୍ରାର୍ଥୀ ଭାବେ ଚିତ୍ରଣ କରିଥିଲା । ସୋସିଆଲ ମିଡ଼ିଆରେ ପ୍ରସନ୍ନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବାକୁ ପଛାଇନଥିଲେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ । କିଛି ଦିନ ପାଇଁ ଲାଗିଲା ସତେ ଯେମିତି ବିଜେପି ସମର୍ଥିତ ପ୍ରାର୍ଥୀ ଥିଲେ ପ୍ରସନ୍ନ ମିଶ୍ର । ଏପରିକି ନିର୍ବାଚନ ପୂର୍ବରୁ ପରାଜୟ ସ୍ୱୀକାର କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା କହି ବିଜେଡିକୁ ତୀବ୍ର ସମାଲୋଚନା କରିଥିଲା ବିଜେପି ଶିବିର । କିନ୍ତୁ ଦିନ କେଇଟା ମଧ୍ୟରେ ବଦଳିଛି ପୁରୀ ରାଜନୀତିର ପାଣିପାଗ । ପ୍ରସନ୍ନଙ୍କୁ ନେଇ ଉତ୍ସାହିତ ହେଉଥିବା ପଦ୍ମ ଦଳକୁ ବଡ ଝଟକା ଲାଗିଛି । ନିଜ ଦଳବଳ ସହ ପ୍ରସନ୍ନ ବିଜେଡି ଶିବିରରେ ଏଣ୍ଟ୍ରି ମାରିଛନ୍ତି । ଯାହା ବିଜେପିର ସ୍ୱପ୍ନକୁ ଛାରଖାର କରିଛି । କାରଣ ଚଳିତଥର ବ୍ଲକ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି, ତେଣୁ ପ୍ରସନ୍ନଙ୍କୁ ନେଇ ବିଜେପି ଅନେକ ସ୍ୱପ୍ନ ଦେଖିଥିଲା । କିନ୍ତୁ ଜୟନ୍ତଙ୍କ ନେତୃତ୍ୱାଧୀନ ବିଜେପିର ଏହି ସ୍ୱପ୍ନକୁ ଭାଙ୍ଗିଛନ୍ତି ମହେଶ୍ୱର । କେବଳ ବିଜେପି ନୁହେଁ ବିଜେଡିର ଦଳୀୟ ନେତା ଦିବାକରଙ୍କ ପାଇଁ ବ୍ଲକ ଅଧ୍ୟକ୍ଷ ପଦ ବାଟ ବନ୍ଦ ହୋଇଯାଇଥିବା ଚର୍ଚ୍ଚା ହେଉଛି । ଯାହାଦ୍ୱାରା ମହେଶ୍ୱର ଗୋଟିଏ ଗୁଳିରେ ୨ଟି ଶିକାର କରିଥିବା କୁହାଯାଉଛି । ପ୍ରଥମତଃ ବିରୋଧୀ ଶିବିରକୁ ବଡ ଝଟକା ଲାଗିଛି ଏବଂ ଦ୍ୱିତୀୟରେ ଦିବାକରଙ୍କୁ ପୁଣିଥରେ ବ୍ଲକ ଅଧ୍ୟକ୍ଷ କରି ନୂଆ ପାୱାର ସେଣ୍ଟର ସୃଷ୍ଟି କରିବା ମୁଡରେ ନାହାନ୍ତି ମହେଶ୍ୱର । କାରଣ ଏବେ ମହେଶ୍ୱରଙ୍କ ମୁଖ୍ୟ ବିରୋଧୀ ସାଜିଥିବା ଜୟନ୍ତ ହିଁ ପୂର୍ବରୁ ତାଙ୍କର ସହଯୋଗୀ ଥିଲେ । କିନ୍ତୁ ସମୟକ୍ରମେ ସେହି ଜୟନ୍ତ ହିଁ ମହେଶ୍ୱରଙ୍କ ହାତ ଛାଡିବା ସହ ତାଙ୍କ ପରାଜୟ ପଛର ସବୁଠୁ ବଡ ଚେହେରା ଭାବେ ଉଭା ହୋଇଥିଲେ ।