ହାଜତ ଭିତରେ ଅପରାଧୀର ମୃତ୍ୟୁ, ପ୍ରଶ୍ନ ଘେରରେ ପୁରୀ ପୁଲିସ୍ । ଘରୁ ଉଠାଇ ନେଇଥିବା ଅପରାଧୀର ମୃତ୍ୟୁକୁ ନେଇ ବଡ଼ ଧରଣର ଉତେଜନା

595

କନକ ବ୍ୟୁରୋ : ବିକ୍ଷୋଭ, ଘେରାଉ, ପ୍ରତିବାଦ । ଇଏ ହେଉଛି ସେହି ସମ୍ବେଦନଶୀଳ ଘଟଣାର ପ୍ରତିଫଳନ, ଯେଉଁ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ପୁଣି ପୁଲିସ୍ ହାଜତ ଭିତରେ । କାହାଣୀ ଏତିକିରେ ସରିନି, ଯୁବକର ମୃତ୍ୟୁ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ବଦଳରେ ଶବଦାହ କରି ଦେଇଛି ପୁଲିସ୍ । ଆଉ ଏହି ଘଟଣାକୁ ନେଇ ପ୍ରଶ୍ନ ଘେରରେ ପୁରୀ ପୁଲିସ୍ ।

-କିଏ ସେହି ପୁଲିସ୍ ଅଧିକାରୀ, କାହିଁକି ତାଙ୍କ ବିରୁଦ୍ଧରେ ହେବନି କାର୍ଯ୍ୟାନୁଷ୍ଠାନ?
-ତରବରିଆ ଭାବେ କାହିଁକି କରାଗଲା ଶବସକ୍ରାର? କ’ଣ ଲୁଚାଇବାକୁ ଚାହୁଁଥିଲା ପୁଲିସ୍?
-ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାନଯିବା ପଛରେ କ’ଣ ରହିଛି ରହସ୍ୟ?

ପୁରୀ ପୁଲିସ୍ ବିରୁଦ୍ଧରେ ଆସୁଥିବା ଏହି ସବୁ ପ୍ରଶ୍ନ ପଛରେ ରହିଛି ହାଜତ ମୃତ୍ୟୁ ଭଳି ଏକ ସାଂଘାତିକ୍ ଅଭିଯୋଗ । ବୁଧବାର ରାତିରେ ଲୋକନାଥ ରୋଡ୍ ଅଂଚଳରୁ କେ. ରମେଶ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା ପୁଲିସ୍ । ରମେଶ ନାଁରେ ଥିଲା ଏକାଧିକ ଅପରାଧିକ ମାମଲା । ପୁଲିସ୍ ତାକୁ ଘରୁ ଉଠାଇ ନେବା ସମୟରେ ପୁଲିସ୍ ଓ ସହ ଧସ୍ତାଧସ୍ତି ହୋଇଥିଲା । ଏହା ପରେ ପୁଲିସ୍ ରମେଶକୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଆଉ ରମେଶ ଅସୁସ୍ଥ ହୋଇଯିବା ପରେ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ହସ୍ପିଟାଲ ଯିବା ପୂର୍ବରୁ ଚାଲିଯାଇଥିଲା ରମେଶର ଜୀବନ ।

ପୁଲିସ୍ ହେପାଜତ୍ରେ ଥିବା ବେଳେ ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘନିଭୁତ ହେବାରେ ଲାଗିଛି । କାରଣ, ପୁଲିସ୍ ମାଡ଼ରେ ରମେଶଙ୍କ ମୃତ୍ୟୁ ହେବା ପରେ ଅତି ତରବରିଆ ଭାବରେ ଶବଦାହ କରିଦେଇଛି ପୁରୀ ପୁଲିସ୍ । ଶବ ପାଖକୁ ପରିବାର ଲୋକଙ୍କୁ ଛଡ଼ା ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏପଟେ ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ନିଲମ୍ବନ ଦାବି କରିଛି ଉଭୟ କଂଗ୍ରେସ ଓ ବିଜେପି ।

ଏପଟେ ବାସେଳିସାହୀ ହାଜତ ମୃତ୍ୟୁ ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ଏସ୍ପି କହିଛନ୍ତି-ଘଟଣାର ନିରପକ୍ଷେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ମାନବାଧୀକାର କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ତଦନ୍ତ କରାଯିବ ଏବଂ ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଟଙ୍କୁ ଚିଠି ଲେଖାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।

ବିଚାର ପୂର୍ବରୁ ଦୋଷୀ ସାବ୍ୟସ୍ତ କରିବା ଏବଂ ରାୟ ଆସିବା ପୂର୍ବରୁ ଦଣ୍ଡବିଧାନ କରିବା, ପୁଲିସ୍କୁ ଅଧିକାର ଦେଲା କିଏ ତାକୁ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି ।