ପୁରୀ ପରିକ୍ରମା ପ୍ରକଳ୍ପ : ବିବାଦର ଘଟଣାକ୍ରମ

291

ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଆକାଂକ୍ଷୀ ଯୋଜନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପ୍ରାୟ ୮୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗତବର୍ଷ ନଭେମ୍ବର ୨୪ରେ ଶିଳାନ୍ୟାସ କରିଥିଲେ ଗଜପତି ମହାରାଜ । ଏଥିପାଇଁ ବର୍ଷକ ଆଗରୁ ଶ୍ରୀମନ୍ଦିରର ୭୫ ମିଟର ପରିଧିରେ ବ୍ୟାପକ ଉଚ୍ଛେଦ କରିଥିଲା ପୁରୀ ପ୍ରଶାସନ । ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ବହୁ ପୂରାତନ ମଠ, ମନ୍ଦିରକୁ ଭାଙ୍ଗି ମାଟିରେ ମିଶାଇ ଦିଆଗଲା । ଏପରିକି ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପକୁ ଆଗେଇ ନେବାପାଇଁ ପ୍ରାୟ ୧୧୫ ପରିବାରଠାରୁ ଜମି ଅଧଗ୍ରହଣ କରାଗଲା । ବିଧାନସଭାରେ ପ୍ରକଳ୍ପ ସପକ୍ଷରେ ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ ଜଣାଇଥିଲେ । ପୁରୀ ଶ୍ରୀମନ୍ଦିରକୁ ବୁଲିବା ପାଇଁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରାୟୀ ଅନୁଭୂତି ଦେବାପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ଆଗେଇ ନେଲେ ରାଜ୍ୟ ସରକାର ।


ଚାଲିଥିବା ପ୍ରକଳ୍ପ କାମରେ ବ୍ୟତିକ୍ରମ ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥାର ଟିପ୍ପଣି ପରେ ବିବାଦ ଦେଖାଦେଲା । ଗତ ଫେବ୍ରୁଆରୀ ୨୧ ତାରିଖରେ ପୁରୀ ଶ୍ରୀମନ୍ଦିର ଆସିଥିଲେ ଏଏସଆଇ ମହାନିର୍ଦ୍ଦେଶକ ଭି. ବିଦ୍ୟାବତୀ । ପ୍ରକଳ୍ପ ଅଂଚଳ ବୁଲି ଦେଖିବା ପରେ ତାଙ୍କ ଭିଜିଟ୍ ନୋଟରେ କେତେକ କାମକୁ ନେଇ ଆପତି ଉଠାଇଥିଲେ । ମନ୍ଦିରର ପ୍ରତିବନ୍ଧିତ ଅଂଚଳରେ କେତେକ ପ୍ରସ୍ତାବିତ ସୁବିଧାକେନ୍ଦ୍ର ପଡୁଥିବା କହିଥିଲେ । ଡିଜାଇନକୁ ଯଥାସମ୍ଭବ ସରଳ ଓ ଆଧ୍ୟାତ୍ମିକ ପ୍ରକୃତିର କରିବା ପାଇଁ ସେ ପ୍ରସ୍ତାବ ଦେଲେ । ଏପରିକି ପ୍ରସ୍ତାବିତ ରିସେପସନ୍ ସେଂଟର ବା ଅଭାର୍ଥନା କକ୍ଷଟି ମନ୍ଦିରର ୭୫ ମିଟର ପରିଧିରେ ଆସୁଥିବା ଅନୁଭବ କରିଥିଲେ । ମୁଖ୍ୟ ଭବନକୁ ଯିବା ପୂର୍ବରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏହି ରିସେପସନ୍ ସେଂଟରଟି ଅତ୍ୟନ୍ତ ଜରୁରୀ ହୋଇଥିବାରୁ ୧୦୦ ମିଟର ପରିଧି ବାହାରେ ରଖିବାକୁ ବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଦ୍ୱାଦଶ ଶତାବ୍ଦିର ପୁରୀ ଶ୍ରୀମନ୍ଦିର ଏକ ସଂରକ୍ଷିତ ସ୍ମାରକୀ ହୋଇଥିବାରୁ ଏଏସଆଇର ବିନା ଅନୁମତିରେ ଏଠାରେ କୌଣସି ପ୍ରକାର ଖନନ ଓ ନିର୍ମାଣ କାମ ହୋଇପାରିବ ନାହିଁ । ତେବେ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥାର ବିନା ଅନୁମତିରେ ପ୍ରକଳ୍ପ କାମ ଚାଲିଥିବା ନେଇ ଅଭିଯୋଗ ଭିତରେ ଏଏସଆଇ ଡିଜିଙ୍କ ଭିଜିଟ୍ ନୋଟ୍ ବିବାଦକୁ ବଢାଇ ଦେଲା । ଯେଉଁ ଭିଜିଟ ନୋଟ୍ ବାବଦରେ ମାର୍ଚ୍ଚ ୮ ତାରିଖରେ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗକୁ ଚିଠି ଲେଖି ଅବଗତ କରିଥିଲା ଏଏସଆଇର ଭୁବନେଶ୍ୱର ସର୍କଲ ।

ପୂର୍ତ ବିଭାଗ ଅଧିନରେ ଓଡିଶା ବ୍ରିଜ ଆଣ୍ଡ କର୍ପୋରସେନ- ଓବିସିସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ କରୁଥିବା ବେଳେ ଏହାକୁ କାର୍ଯ୍ୟକାରୀ କରୁଛି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ । ବଡ ବଡ ଜେସିବି ଲଗାଇ ଶ୍ରୀମନ୍ଦିର ଆଖପାଖରେ ୩୦ରୁ ୫୦ ଫୁଟ ଗାତ ଖୋଳାଯିବା ପରେ ଏଏସଆଇ କିମ୍ବା ଏନଏମଏର ଅନୁମତି କଥା ଉଠାଇଥିଲେ ବିଶେଷଜ୍ଞ, ବୁଦ୍ଧିଜୀବି, ସେବାୟତ ଓ ଜଗନ୍ନାଥପ୍ରେମୀ । ଶ୍ରୀମନ୍ଦିର ପ୍ରତି ଏହା ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ବିଭିନ୍ନ ମହଲରୁ ଆପତି ଉଠିଲା ।
ପ୍ରସଙ୍ଗକୁ ସଂସଦରେ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆନସିଆଂଟ ମନୁମେଂଟ୍ସ ଆଣ୍ଡ ଆର୍କୋଲୋଜିକାଲ ସାଇଟ୍ସ ରିମେନ୍ସ- ଆମସାର ଆଇନ ୧୯୫୮ ଅନୁସାରେ ସଂରକ୍ଷିତ ସ୍ମାରକୀର ୧୦୦ ମିଟର ପରିଧି ପ୍ରତିବନ୍ଧିତ ଅଂଚଳ ଓ ୨୦୦ ମିଟର ପରିଧି ନିୟନ୍ତ୍ରିତ ଅଂଚଳ ବୋଲି ବିଚାର କରାଯିବ । ତେଣୁ ଏଠାରେ କୌଣସି ପ୍ରକାର ନିର୍ମାଣ ପାଇଁ ନ୍ୟାସନାଲ ମନୁମେଂଟ ଅଥୋରିଟି- ଏନଏମଏର ଅନୁମତି ଆବଶ୍ୟକ । କିନ୍ତୁ ଏନଏମଏ କିମ୍ବା ଏଏସଆଇର ବିନା ଅନୁମତିରେ ଶ୍ରୀମନ୍ଦିର ଆଖପାଖରେ ବ୍ୟାପକ ଉଚ୍ଛେଦ ଓ ଖନନ କାମ ଚାଲିଥିବାରୁ ଏହା ଚିନ୍ତାର ବିଷୟ । ପ୍ରକଳ୍ପ ପାଇଁ କରାଯାଇଥିବା ସମନ୍ୱୟ କମିଟିରେ ଏଏସଆଇର କୌଣସି ପ୍ରତିନିଧିତ୍ୱ ନଥିଲା । ଅନ୍ୟ ବାଧ୍ୟତାମୂଳକ ପଦକ୍ଷେପ ଯେପରିକି ଐତିହ୍ୟ ପ୍ରଭାବ ଆକଳନ କିମ୍ବା ଜିପିଆରଏସ ସର୍ଭେ ମଧ୍ୟ କରାଯାଇ ନାହିଁ । ତେଣୁ ଜଗନ୍ନାଥ ମନ୍ଦିର ଆଖପାଖରେ ଚାଲିଥିବା କାମ ବେଆଇନ ବୋଲି କହିଥିଲେ ଅପରାଜିତା ଷଡଙ୍ଗୀ ।
ଏହାପରେ ଏଏସଆଇ ଫେବ୍ରୁଆରୀ ୫ ତାରିଖରେ ଓବିସିସିକୁ ଲେଖିଥିବା ଏକ ଚିଠିକୁ ଟ୍ୱିଟ କରିଥଲେ ସାଂସଦ ଅପରାଜିତା ଷଡଙ୍ଗୀ । ଏଥିରେ ଶ୍ରମନ୍ଦିରର ୧୦୦ ମିଟର ପ୍ରତିବନ୍ଧିତ ଅଂଚଳରେ କୌଣସି ପ୍ରକାର ନିର୍ମାଣ ଓ ଖନନ କାମକୁ ବାରଣ କରାଯାଇଥିଲା । ଏଏସଆଇଠାରୁ କୌଣସି ଅନୁମତି ପାଇଥିଲେ ବଳିଆପଣ୍ଡାସ୍ଥିତ ପୁରୀ ସବ-ସର୍କଲ ଅଫିସରେ ଦେଖାଇବାକୁ କୁହାଯାଇଥିଲା । ବିନା ଅନୁମତିରେ କାମ ହେଉଥିଲେ ତୁରନ୍ତ ବନ୍ଦ କରିବାକୁ ଚିଠିରେ ତାଗିଦ କରାଯାଇଥିଲା ।

ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗର ଉତର ରଖି ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ ଯେ, ସେଠାରେ କୌଣସି ପ୍ରକାର ଖନନ ହେଉନାହିଁ । କେବଳ ୪ଟି ଶୌଚାଳୟ ନିର୍ମାଣ କରାଯାଉଛି । ଶ୍ରୀମନ୍ଦିରକୁ ଆସୁଥିବା ମହିଳା ଭକ୍ତ ଅସୁବିଧା ଭୋଗୁଥିବାରୁ ୨ଟି ମହିଳା ଶୌଚାଳୟ ଓ ପୁରୁଷଙ୍କ ପାଇଁ ୨ଟି ଶୌଚାଳୟ କରାଯାଉଛି । ଅନ୍ୟ କୌଣସି ନିର୍ମାଣ କାମ ସେଠାରେ ହେଉନାହିଁ । ସଂସଦ ବାହାରେ ପ୍ରତିକ୍ରିୟା ରଖି କହିଲେ, ଓଡିଶାରେ ପ୍ରତ୍ୟେକ କାମ ଆଇନ ଅନୁସାରେ ହୁଏ । ଯେଉଁଥିପାଇଁ ଦୀର୍ଘ ୨୨ ବର୍ଷ ହେଲା ଓଡିଶାବାସୀ ନବୀନ ପଟ୍ଟନାୟକ ସରକାରଙ୍କୁ କ୍ଷମତାରେ ବସାଇ ଆସିଛନ୍ତି । ପ୍ରକଳ୍ପ କାମ ପାଇଁ ଏନଏମଏ ଏନଓସି ପ୍ରଦାନ କରିଛି ଏବଂ ଏଏସଆଇ ମଧ୍ୟ ସଂପୃକ୍ତ ଅଛି ବୋଲି କହିଲେ ପିନାକୀ ମିଶ୍ର ।
ପୁରୀ ସାଂସଦ ପିନାକୀ ମିଶ୍ର ଏନଏମଏର ଯେଉଁ ଏନଓସି କଥା କହୁଛନ୍ତି, ତାହା ୪ ସେପ୍ଟେମ୍ବର ୨୦୨୧ରେ ମିଳିଥିଲା । ପ୍ରକୃତରେ ପ୍ରସ୍ତାବିତ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ମାଗିଥିବା ନୋ ଅବଜେକ୍ସନ ସାର୍ଟିଫିକେଟର ଉତର ରଖିଥିଲା ନ୍ୟାସନାଲ ମନୁମେଂଟ ଅଥୋରିଟି- ଏନଏମଏ । ଆମସାର ଆଇନ ୧୯୫୮ର ଅନୁପାଳନ କରି ପ୍ରତିବନ୍ଧିତ ଅଂଚଳରେ କ୍ଲକରୁମ ଅର୍ଥାତ ଜିନିଷପତ୍ର ରଖିବାକୁ କୋଠରୀ, ମିନିକ୍ଲକରୁମ ବା ଅନ୍ୟ ଛୋଟିଆ କୋଠରୀ, ସେଲଟର ପାଭିଲିୟନ୍ ଅର୍ଥାତ ଆଶ୍ରୟସ୍ଥଳୀ, ଫିମେଲ ଟଏଲେଟ୍- ମହିଳା ଶୌଚାଳୟ, ମେଲ ଟଏଲେଟ- ପୁରୁଷଙ୍କ ପାଇଁ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକଟ୍ରିକ ରୁମ୍ ଏବଂ ପେଭମେଂଟ ଏରିଆ ଅର୍ଥାତ ପାଦଚଲା ରାସ୍ତା ବା ଚଟାଣ ନିର୍ମାଣ କରିବାକୁ କୌଣସି ଆପତି ନାହିଁ ବୋଲି ଉତର ରଖିଥିଲା ଏନଏମଏ । କିନ୍ତୁ ଅନ୍ୟ ପ୍ରସ୍ତାବିତ କାମ ଯେମତିକି ରିସେପସନ୍ ସେଂଟର ଅର୍ଥାତ ଅଭ୍ୟର୍ଥନା କକ୍ଷ, ଇନଫରମେସନ କମ୍ ଡୋନେସନ କିଓସ୍କ ଅର୍ଥାତ ସୂଚନା ଓ ଦାନ କେନ୍ଦ୍ର, ଫାଷ୍ଟଏଡ ସେଂଟର ବା ଆସୁ ଉପଚାର କେନ୍ଦ୍ର, ପୋଲିସ ସେବା କେନ୍ଦ୍ର ଏବଂ ଏଟିଏମ କିଓସ୍କ ବା କେନ୍ଦ୍ର ନିର୍ମାଣ କାହିଁକି ପ୍ରତିବନ୍ଧିତ ଅଂଚଳରେ କରିବା ଦରକାର ତାକୁ ଜଷ୍ଟିଫାଏ କରିବେ ବା ଉପଯୁକ୍ତ ଯୁକ୍ତି ଦର୍ଶାଇବେ ଅଥବା ତାକୁ ନିୟନ୍ତ୍ରିତ ଅଂଚଳ ଅର୍ଥାତ ୧୦୦ ମିଟର ବାହାରେ ଓ ୨୦୦ ମିଟର ଭିତରେ ରି-ଲୋକେଟ୍ ବା ସ୍ଥାନାନ୍ତର କରିବାକୁ ଚିଠିରେ କୁହାଯାଇଥିଲା ।

ଏବେ ଏଏସଆଇର ଅନୁମତି ପ୍ରସଙ୍ଗକୁ ଦେଖିଲେ, କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ କ୍ଷୀତିଶ ସିଂଙ୍କୁ ମିଳିଥିବା ଉତରରୁ ସବୁ ଜଳଜଳ ଦେଖାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କରିବାକୁ ଗତ ଏପ୍ରିଲ ୬ ତାରିଖରେ ଏଏସଆଇର ଭୁବନେଶ୍ୱର ସର୍କଲ ଅଫିସକୁ ଏକ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଅର୍ଥାତ ବିବାଦ ବଢିବା ପରେ ଏବଂ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେବା ପରେ ଏହି ଚିଠି ଲେଖିଛନ୍ତି । କ୍ଷୀତିଶ ପ୍ରଶ୍ନ କରିଥିଲେ ଯେ, ପ୍ରକଳ୍ପ ପାଇଁ ନିର୍ମାଣ ଓ ଖନନ କରିବାକୁ ଏଏସଆଇ କୌଣସି ଅନୁମତି ଦେଇଛି କି ଏବଂ ଏ ସଂପର୍କିତ କୌଣସି ଚିଠି ଅଛି କି । ଉତରରେ କୌଣସି ଅନୁମତି ଦିଆଯାଇନଥିବା ଓ କୌଣସି ଚିଠି ମଧ୍ୟ କରାଯାଇ ନଥିବା କହିଛି ଏଏସଆଇର ଭୁବନେଶ୍ୱର ସର୍କଲ । ଏପିରିକି ନିର୍ମାଣ ନେଇ କୌଣସି ଉପଦେଶ କିମ୍ବା ଗାଇଡଲାଇନ ଜାରି କରାଯାଇନଥିବା ମଧ୍ୟ ଆରଟିଆଇ ଉତରରେ ଏଏସଆଇର ଭୁବନେଶ୍ୱର ସର୍କଲ କହିଛି ।

ଏତେସବୁ ଭିତରେ ବଡ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଓଡଶା ହାଇକୋର୍ଟରେ ଏଏସଆଇର ଆଭିମୁଖ୍ୟ । ଫେବ୍ରୁଆରୀ ୫ ତାରିଖରେ ଏଏସଆଇ ଯଦି ଓବିସିସିକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରତିବନ୍ଧିତ ଅଂଚଳରେ କୌଣସି ନିର୍ମାଣ ଓ ଖନନକୁ ବାରଣ କରିଥିଲା, ତେବେ କୋର୍ଟରେ ସକଥା କହିଲା ନାହିଁ କାହିଁକି । ଏଏସଆଇ ଡିଜି କ୍ଷେତ୍ର ପରିଦର୍ଶନ ପରେ ଭିଜିଟ୍ ନୋଟରେ କରିଥିବା ଆପତି ବାବଦରେ କୋର୍ଟଙ୍କୁ କହିବାରେ ଅସୁବିଧା କେଉଁଠି ରହିଲା । ସବୁଠାରୁ ବଡକଥା ହେଉଛି, ଆରଟିଆଇ ତଥ୍ୟରେ ଯଦି ନିର୍ମାଣ ଅନୁମତି ଦିଆଯାଇନଥିବା ଏଏସଆଇ କହିପାରୁଛି, କୋର୍ଟରେ ସେହିକଥା କହିଲାନି କାହିଁକି । ସେ ଯାହାହେଉ ନିର୍ମାଣ କାର୍ଯ୍ୟ ଚଲିଥିବା ସ୍ଥାନର ଯୁଗ୍ମ ଅନୁଧ୍ୟାନ କରି ମେ ୭ ତାରିଖ ସୁଦ୍ଧା କୋର୍ଟଙ୍କୁ ଏଏସଆଇ ସତ୍ୟପାଠ ଦେବାକୁ ପଡିବ । କାରଣ ମେ ୧୬ରେ ପରବର୍ତୀ ଶୁଶାଣି ହେବାକୁ ଥିବାବେଳେ ଏହାକୁ ମେ ୯ ତାରିଖକୁ ଘୁଂଚାଇ ଦେଇଛନ୍ତି ହାଇକୋର୍ଟ । ମାମଲାର ତ୍ୱରିତ ଶୁଣାଣି ନହେଲେ ନିର୍ମାଣ କାର୍ଯ୍ୟ ସରିଯିବ ବୋଲି କୋର୍ଟଙ୍କୁ କହିଥିଲେ ଆବେଦନକାରୀ ଦିଲ୍ଲୀପ ବରାଳ । ବୁଧବାର ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ମେ ୯ ତାରିଖକୁ ଶୁଣାଣି ଘୁଂଚାଇ ଦେଇଛନ୍ତି । ଏହାର ଦୁଇଦିନ ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆଲେଖ୍ୟ- ସୁଶୀଲ କୁମାର ଦାସ
ଆସୋସିଏଟ ଏଡିଟର, କନକ ନ୍ୟୁଜ

ବିଦ୍ର- ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ବିଭିନ୍ନ ଏବଂ ସରକାରୀ ଚିଠିକୁ ଆଧାର କରି ଏହି ତଥ୍ୟ ଉପସ୍ଥାପନ କରାଯାଇଛି ।