କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଧାଡି ପହଣ୍ଡିରେ ବିଜେ ନୀତି ସମ୍ପନ୍ନ । ତିନି ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ରଥାରୂଢ ହେଲେ ସୁଦର୍ଶନ । ତାଙ୍କ ପଛକୁ ପଛ ବଳଭଦ୍ର, ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି । ତାଳଧ୍ୱଜରେ ପ୍ରଭୁ ବଳଭଦ୍ର, ଦର୍ପଦଳନରେ ଦେବୀ ସୁଭଦ୍ରା, ନନ୍ଦିଘୋଷରେ ମହାପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି । ଧ୍ୱନିରେ ପ୍ରକମ୍ପିତ ଗଗନପବନ । ମର୍ଦ୍ଦଳା, ତୂରୀଭେରୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପୁଛି ।

Advertisment

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ସୁଦର୍ଶନଙ୍କ ପରେ କାମପାଳ ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ଆସୀନ ହେବା ପରେ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କୁ ଆଣି ଦର୍ପଦଳନ ରଥରେ ବିଜେ କରାଯାଇଛିି । ତା ପରେ କାଳିଆ ସାଆନ୍ତେ ଝୁଲି ଝୁଲି, ଦୋଳାୟିତ ଟାହିଆର ଅପୂର୍ବ ଶୋଭାରେ ଦର୍ଶକମାନଙ୍କୁ ବିମୋହିତ କରି ଧୀରେ ଧୀରେ ରଥ ଉପରକୁ ବିଜେ କରିଛନ୍ତି ।

ରଥାରୁଢ଼ ହେଉଛନ୍ତି ଶ୍ରୀଜୀଉ ନିଳାଦ୍ରୀସିଂହ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଓ ରଥବିଜେ ସମୟରେ ହରିବୋଲ ହୁଳହୁଳିି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଛି । କିଏ ବଡ଼ଦାଣ୍ଡରେ କାଳିଆ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ତାଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରୁଛି ତ କିଏ ରଥ ସମ୍ମୁଖରେ ମୁରୁଜର ବଣ୍ଣାଳୀ ତୋଳି ତାର ଭକ୍ତିି ପ୍ରଦର୍ଶନ କରୁଛି । କିଏ ହନୁମାନ ରୂପରେ ବଡଦାଣ୍ଡରେ ବୁଲୁଛି ତ କିଏ ଭକ୍ତଙ୍କୁ ପାଣି ଯୋଗାଇ ଦେଇ କାଳିଆ ସାଆନ୍ତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛିି ।