ବଡ଼ଦାଣ୍ଡ ରଥକାଠ ଉପରେ ଆଜି ଜଣେ ଅପରିଚିତ ବୃଦ୍ଧ (୭୦)ଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ରଥକାଠକୁ ମୁଣ୍ଡିଆ ମାରିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ମୃତ୍ୟୁ କାରଣ କିନ୍ତୁ ସ୍ପଷ୍ଟ ହୋଇ ପାରିନାହିଁ। ମୃତକଙ୍କ ମୁହଁ ଓ ନାକରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। ସଂଧ୍ୟା ପ୍ରାୟ ୬ଟାରେ ପୁରୀ ଟାଉନ ଥାନା ପୁଲିସ ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିଚୟ ଜଣାପଡିନଥିଲେ ମଧ୍ୟ ପାରିପାର୍ଶ୍ୱିକ ଅବସ୍ଥାରୁ ସେ ଜଣେ ମିସ୍ତ୍ରୀ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଜଗନ୍ନାଥ ପ୍ରେମୀ ଏହାକୁ ସୌଭାଗ୍ୟ ବୋଲି ବିବେଚନା କରୁଛନ୍ତି। କାରଣ, ପୂର୍ବରୁ ରଥକାଠ ଉପରେ କାହାରି ଜୀବନ ଯାଇନଥିଲା।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟା ସମୟରେ ବୃଦ୍ଧ ଜଣକ ରଥଖଳାଠାରୁ ମାତ୍ର କେଇ ମିଟର ଦୂର ରାସ୍ତା ଅପରପାର୍ଶ୍ୱରେ ରଖାଯାଇଥିବା ରଥକାଠ ଉପରେ ବସି ରହିଥିଲେ। ପରେ ପରେ କାଠ ଉପରେ ତାଙ୍କୁ ମୁହଁ ମାଡ଼ି ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ବୃଦ୍ଧ ଜଣକ କାଠ ଉପରେ ଶୋଇଥିବା ଭାବି କେହି କିଛି କହିନଥିଲେ। କିନ୍ତୁ ଅପରାହ୍ଣ ସୁଦ୍ଧା ସଂପୃକ୍ତ ବୃଦ୍ଧ ଜଣକ ବିନା ହଲଚଲରେ ସେହି ଅବସ୍ଥାରେ ପଡ଼ି ରହିଥିବାରୁ ସ୍ଥାନୀୟ ଲୋକେ ସନ୍ଦେହରେ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ତାଙ୍କୁ ଓଲଟାଇବା ପରେ ମୃତ୍ୟୁ ସଂପର୍କରେ ଜଣାପଡ଼ିଥିଲା। ବୃଦ୍ଧଙ୍କ ପାଖରେ ଏକ ଧଳା ବ୍ୟାଗ୍ ରହିଥିଲା। ଯାଞ୍ଚ ସମୟରେ ଉକ୍ତ ବ୍ୟାଗରୁ ଏକ ମୋବାଇଲ୍ ଫୋନ୍ ଓ ଚାର୍ଜର ମିଳିଥିବା ବେଳେ ତାଙ୍କ ପ୍ୟାଣ୍ଟ ପକେଟରୁ ପର୍ସ ଓ ଚାବି ମିଳିଛି। ବୃଦ୍ଧ ଜଣକ ଏକ ଗଞ୍ଜି ଓ ବରମୁଡା ପ୍ୟାଣ୍ଟ ପିନ୍ଧିଥିଲେ। ୫୦୦ ଟଙ୍କିଆ ଓ କିଛି ଖୁଚୁରା ନୋଟ ମିଶାଇ ପର୍ସରୁ ମୋଟ ୪ ହଜାର ଟଙ୍କା ସହିତ କିଛି ରେଜା ପଇସା ବି ମିଳିଛି। ବ୍ୟାଗରୁ ମାପ ପାଇଁ ଉଦ୍ଦିଷ୍ଟ ଏକ ଟେପ୍ ମିଳିଥିବାରୁ ବୃଦ୍ଧ ଜଣକ ଜଣେ ମିସ୍ତ୍ରୀ ବୋଲି ଅନୁମାନ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/Death-of-Old-Man4-3.jpg)