ପୁରୀର ନାମ ପରିବର୍ତ୍ତନକୁ ନେଇ ବଢ଼ୁଛି ବିବାଦ । ରାସ୍ତାକୁ ଓହ୍ଲାଇଲା ବ୍ରାହ୍ମଣ ସମାଜ ।

177

କନକ ବ୍ୟୁରୋ : ପୁରୀ ନାଁ ପରିବର୍ତ୍ତନ ପ୍ରସଙ୍ଗ ଏବେ ଚର୍ଚ୍ଚାରେ । ବିଜେପି ଏହାକୁ ନେଇ ବୟାନବାଜି କରୁଥିବା ବେଳେ କିଛି ମହଲରେ ପ୍ରତିବାଦ ବି ଦେଖିବାକୁ ମିଳିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଁ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିବା ବେଳେ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି କହିଥିଲେ, ରାଜ୍ୟ ସରକାରଙ୍କ ପଦକ୍ଷେପ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । ସେପଟେ କିନ୍ତୁ ବିଜେଡି ଏନେଇ ନିରବ ରହିଛି ।

ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଧାମ ବିକାଶ ଓ ଶ୍ରୀକ୍ଷେତ୍ର କରିଡର ନାମରେ ପ୍ରକଳ୍ପ କାର୍ଯ୍ୟକାରୀ କରାଉଥିବା ବେଳେ ସେପଟେ ପୁରୀ ଉପରେ ବିଜେପିର ବି ଆଖି ରହିଛି । ନାମ ପରିବର୍ତ୍ତନ ଜରିଆରେ ଛାପ ଛାଡ଼ିବାକୁ ଉଦ୍ୟମ କରୁଛି ବିଜେପି । ହେଲେ ଏହା ବିରୋଧରେ ପ୍ରତିବାଦ ବଢ଼ୁଛି ।

ନାମ ପରିବର୍ତ୍ତନକୁ ନେଇ ବଢ଼ୁଛି ବିବାଦ । ରାସ୍ତାକୁ ଓହ୍ଲାଇଲା ବ୍ରାହ୍ମଣ ସମାଜ । ଶ୍ରୀମନ୍ଦିର ସମ୍ମୁଖରେ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତିବାଦ କରାଯାଇଛି । ପୁରୀ କହିଲେ ଜଗନ୍ନାଥ ଧାମ ଓ ଜଗନ୍ନାଥ ଧାମ କହିଲେ ପୁରୀ ବୋଲି ବୁଝାଯାଏ । ତେଣୁ ନାଁ ପରିବର୍ତ୍ତନକୁ ନେଇ ଯେଉଁ କଥା କୁହାଯାଉଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡୁ ବୋଲି ଦାବି କରିଛି ବ୍ରାହ୍ମଣ ସମାଜ ।

ପୁରୀ ନାଁ ବଦଳାଇବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ । କ’ଣ ରହିଛି ବିଜେଡିର ଆଭିମୁଖ୍ୟ ? ସେପଟେ ପୁରୀ ସହର ଓ ପୁରୀ ରେଳ ଷ୍ଟେସନର ନାମ ବଦଳାଇ “ଶ୍ରୀ ଜଗନ୍ନାଥ ଧାମ ପୁରୀ’ କରିବାକୁ ବିଜେପି ବ୍ଲୁପ୍ରିଣ୍ଟ କରୁଥିବା ବେଳେ ବିଜେଡି ଏଯାଏଁ ମୁହଁ ଖୋଲୁନି । ରାଜ୍ୟ ସରକାରଙ୍କ ବିନା ସହଯୋଗରେ ନାମ ପରିବର୍ତ୍ତନ ସମ୍ଭବ ନୁହେଁ । ଏକଥା ନିଜେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ କହିସାରିଛନ୍ତି । ଏଥିପାଇଁ ପ୍ରଥମେ ରାଜ୍ୟ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଏକ ସୁପାରିଶ ପଠାଇବା ପରେ ହିଁ ଆଗକୁ ପ୍ରକ୍ରିୟା ବଢ଼ିପାରିବ । କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିବା ବେଳେ ରାଜ୍ୟ ସରକାର କିନ୍ତୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।

ଡିଜିଟାଲ ଯୁଗରେ ସୂଚନା ଓ ପ୍ରଚାର ବ୍ୟାପକ ଭାବେ ହୋଇଚାଲିଛି । ଏହି ପରିପ୍ରେକ୍ଷୀରେ ପୁରୀ ନାଁ ସହ ଶ୍ରୀଜଗନ୍ନାଥ ଧାମ ଯୋଡ଼ିଲେ ଅଧିକ ପରିଚୟ ମିଳିବ ବୋଲି ଯୁକ୍ତି ରଖୁଥିବା ବ୍ୟକ୍ତି ଓ ଦଳ ଏହାର ସଠିକ ଅନୁଧ୍ୟାନ କରିବା ଆବଶ୍ୟକ ।