ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ, ମାୟା ଛାଡି ଏବେ ପାଲଟିଛନ୍ତି ନାଗାସାଧୁ ।

775

କନକ ବ୍ୟୁରୋ : ୯ ମାସ ପରେ ଗତ ୨୩ ତାରିଖରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, ସେଦିନ ପୋଲିସକୁ ଚକମା ଦେଇ ଶ୍ରୀମନ୍ଦିର ଭିତରେ ପଶି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବାବା ବୈଷ୍ଣବ ପୁରୀ । କେବଳ ସେବାୟତଙ୍କ ପରିବାରର ଦର୍ଶନ ପାଇଁ ଅନୁମତି ରହିଥିଲା, ହେଲେ ଶ୍ରୀମନ୍ଦିର ଭିତରେ ଧସେଇ ପଶି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପୁରୀ ଲଙ୍ଗୁଳି ମଠରେ ଦୀକ୍ଷା ନେଇ ସାଧୁ ପାଲଟିଥିବା ବୈଷ୍ଣବ ପୁରୀଙ୍କ ପୂରା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କଲେଜରେ ପାଠ ପଢ଼ିବା ସମୟରେ ସେ ଜଣେ ଛାତ୍ର ନେତା ଥିଲେ ଅଧାରୁ ପାଠ ଛାଡିବା ପରେ ବିଭିନ୍ନ ଅପରାଧ ସହ ଜଡିତ ହୋଇ ଜେଲ ଯାଇଥିଲେ ବାବା ବୈଷ୍ଣବ ପୁରୀ । ବ୍ରହ୍ମପୁର ବଡ଼ ବଜାର ଅଂଚଳରେ ବାବା ବୈଷ୍ଣବ ପୁରୀଙ୍କ ଘର । ନାଁ ଥିଲା ଟି ତୁମ୍ବନାଥ ସୁବୁଦ୍ଧି । ୨୦୧୦ ମସିହାରେ ଜଣେ ଯୁବକଙ୍କ ହତ୍ୟାକାଣ୍ଡରେ ଛନ୍ଦି ହୋଇ ଯାଇଥିଲେ ତୁମ୍ବନାଥ ।

ସେହି ୨୦୧୦ରେ ଆଉ ଏକ ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରୁ ପୋଲିସ ଆଖିôରେ ଧୂଳି ଦେଇ ଚମ୍ପଟ ମାରିଥିଲେ ସେ । ପୁଣି ୨୦୧୧ରେ ବାରଖମା ଫାଣ୍ଡି ଅଧିକାରୀଙ୍କୁ ହାଣି ଦେଇଥିବା ଅଭିଯୋଗ ହୋଇଥିଲା ତାଙ୍କ ନାଁରେ ।

ବାରମ୍ବାର ଗିିରଫ ଓ ଜେଲରେ ରହିବା ପରେ ୬/୭ ବର୍ଷ ହେଲା ଘର ଛାଡି ଏବେ ପୁରୀରେ ସନ୍ୟାସୀର ଜୀବନ ଯାପନ କରୁଛନ୍ତି ତୁମ୍ବନାଥ ଓରଫ ବାବା ବୈଷ୍ଣବ ପୁରୀ । ଜଗନ୍ନାଥଙ୍କ ଶରଣାପନ୍ନ ହୋଇ ଭବିଷ୍ୟତରେ ଜଣେ ଦକ୍ଷ ନାଗାସାଧୁ ହେବା ସହ ତପସ୍ୱୀ ଉପାଧି ପାଇବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।