ବାତ୍ୟା ଫୋନିରେ ଶ୍ରୀମନ୍ଦିରର ମୋଟ ୫କୋଟି ୧୦ଲକ୍ଷ ଟଙ୍କାର କ୍ଷତି । ମୁଖ୍ୟ ପ୍ରଶାସକ କହିଲେ ଖୁବ୍ ଶୀଘ୍ର ହେବ ମରାମତି କାର୍ଯ୍ୟ, ଲାଗିବ ନୂଆ ଜୟ ଓ ସିଂହ ମୂର୍ତ୍ତି

ଫୋନିରେ ଶ୍ରୀମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଛି

150

କନକ ବ୍ୟୁରୋ : ଫୋନିରେ ଶ୍ରୀମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପରିମାଣ ୫ କୋଟି ୧୦ ଲକ୍ଷ ଟଙ୍କା ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକ ପ୍ରଦୀପ୍ତ ମହାପାତ୍ର । ଗତକାଲି ଏହି ରିପୋର୍ଟ ସମ୍ପର୍କରେ ଆଇନ ବିଭାଗକୁ ଜଣାଇଦିଆଯାଇଛି । ଫୋନିରେ ମୁଖ୍ୟମନ୍ଦିର, ଗୁଣ୍ଡିଚା ମନ୍ଦିର ଓ ବଟବୃକ୍ଷ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଉପବନ, କୋଇଲି ବୈକୁଣ୍ଠ ଓ ଷ୍ଟୋରରୁମର ବ୍ୟାପକ କ୍ଷତି ହୋଇଛି ।

 

ଗୁଣ୍ଡିଚା ମନ୍ଦିରର ସମସ୍ତ ଅଫିସ ଓ ରୋଷଘର ଉଡିଯାଇଛି । ରୋଷଘରକୁ ଯୁଦ୍ଧକାଳୀନ ଭିତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସିଂହଦ୍ୱାରର ଜୟମୂର୍ତି ଭାଙ୍ଗିଯାଇଛି । ଏଠାରେ ନୂଆମୂର୍ତ୍ତୀ ଲଗାଯିବ । ଶ୍ରୀମନ୍ଦିର ଗଛକଟା ଆଜି ସୁଦ୍ଧା ସରିବ । ଏହା ପରେ ଗୁଣ୍ଡିଚାମନ୍ଦିରର ଗଛକଟା ଆରମ୍ଭ ହେବ । ଆଜିଠାରୁ ପୂର୍ବଭଳି ଶ୍ରୀମନ୍ଦିରରେ ବଡ ବାନା ଲଗାଯିବ ।

 

ତେବେ କହିବାକୁ ଗଲେ, ବାତ୍ୟା ଫୋନିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସମଗ୍ର ପୁରୀ ଜିଲ୍ଲା । ବାତ୍ୟାକୁ ୬ଦିନ ବିତିଯାଇଥିଲେ ସ୍ୱାଭାବିକ ହେଉନି ପୁରୀ । ରାସ୍ତାରୁ ହଟୁନି ଗଛ । ପିଇବା ପାଣି ଓ ବିଦ୍ୟୁତ୍ ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ସବୁଠି ହାହାକାର ସ୍ଥିତି । ବାସହରା ହୋଇଛନ୍ତି ହଜାର ହଜାର ଲୋକ । ମୁଣ୍ଡ ଉପରେ ଛାତ ନାହିଁ, ପିଇବାକୁ ପାଣି ମୁନ୍ଦେ ନାହିଁ । ରାତି ହେଲେ ଚାରିଆଡେ ଶୂନଶାନ । ଅନ୍ଧାର ରାତିରେ ଅଜଣା ଭୟର ବାତାବରଣ ସୃଷ୍ଟି ହେଉଛି । ବହୁ ସଂଖ୍ୟାରେ ବିଜୁଳି ଖୁଂଟ ନଷ୍ଟ ହୋଇଥିବାରୁ କେବେ ବିଜୁଳି ଫେରିବ ତାହା କହିବା ମୁସ୍କିଲ । ରାସ୍ତା ଉପରେ ଜମା ହୋଇ ରହିଛି ଭଙ୍ଗା ଗଛ ଓ ବାଲି । ଏବେ ବି ରିଲିଫ କ୍ୟାମ୍ପରେ କଟୁଛି ବାତ୍ୟା ପ୍ରଭାବିତଙ୍କ ଜୀବନ ।