ଆଜି ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ: ବିଜୟ କାହାଳୀ ବାଜିବା ପରେ ପଟୁଆରରେ ଶ୍ରୀମନ୍ଦିର ବିଜେ କଲେ ବେଶ ସାମଗ୍ରୀ; ଚାଲିଛି ଶ୍ରୀଜିଉଙ୍କ ବେଶ ଲାଗି

212

କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ବିରଳ ଯୋଦ୍ଧା ବେଶ, ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁ ଏହି ବେଶରେ ସଜେଇ ହେଉଛନ୍ତି । କିନ୍ତୁ କରୋନା କଟକଣା ଯୋଗୁଁ ଏହି ବେଶର ଦର୍ଶନରୁ ବଂଚିତ ହୋଉଛନ୍ତି ଭକ୍ତ । ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରିଚକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି । ରାତି ୨ଟାରୁ ଆଜି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ  ୨୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  । ୧୪୪ ଧାରା ଜାରି ସମୟରେ ପତିତପାବନ ଦର୍ଶନରୁ ବଂଚିତ ରହିବେ ଭକ୍ତ । ଅର୍ଥାତ୍ ସିଂହଦ୍ୱାର ନିକଟକୁ ଅନୁମତି ପ୍ରାପ୍ତ ବ୍ୟକ୍ତି ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଦ୍ୱାରଫିଟା ନୀତି ପୂର୍ବରୁ ସିଂହଦ୍ୱାରଠାରୁ ହରଚଣ୍ଡି ସାହି ପର୍ଯ୍ୟନ୍ତ ରାସ୍ତାକୁ ସଫା କରିବା ସହ ଶୋଧ କରାଯାଇଛି । ଶୁଭମୁହୁର୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ ।  ତିନି ପ୍ଲାଟୁନ ପୋଲିସ ଫୋର୍ସଙ୍କ ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କ ବେଶ ସାମଗ୍ରୀ ମନ୍ଦିରକୁ ଅଣାଯାଇଛି । ଏବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଅନ୍ୟପଟେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ଭକ୍ତ ନିଷିଦ୍ଧାଂଚଳ ବାହାରେ ରହି ଶ୍ରୀମନ୍ଦିରର ଦର୍ଶନ କରୁଛନ୍ତି । ଭକ୍ତର ଭାବ ଏମିତି ଯେ ମହାପ୍ରଭୁଙ୍କ ଆକୁଳ ପ୍ରାର୍ଥନା କଲା ବେଳେ ଆଖିରେ ଆନନ୍ଦାଶ୍ରୁ ଝରିଯାଉଥିବା ଦେଖିବାକୁ ମିଳିଛି । ଶେଷଥର ପାଇଁ ୧୯୯୪ ମସିହାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

ସେହିପରି ସମ୍ବଲପୁରର ଝାଡ଼ୁଆପଡ଼ାରେ ଥିବା ପୁରାତନ ଜଗନ୍ନାଥ ମନ୍ଦିର ଶ୍ରିଜିଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ଏଠାରେ ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ନାଗାବେଶରେ ସୁସଜ୍ଜିତ କରାଯାଏ । ଝାଡ଼ୁଆପଡ଼ାର ବ୍ରହ୍ମ୍ପୁରା ମନ୍ଦିରରେ ନାଗାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ରାତି ୨ଟାରୁ ମନ୍ଦିର କମିଟି ରିତିନିତୀ ଅନୁସାରେ ମହାପ୍ରଭୁଙ୍କୁ ଏହି ବେଶରେ ସୁସଜିତ କରିଛନ୍ତି । କରୋନା ମହାମାରୀ ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରେ କଟକଣା ଲୁଗୁ କରାଯାଇଛି ।