ପୁରୀ ନାଁ ପରିବର୍ତ୍ତନକୁ ନେଇ ବିବାଦ ଜାରି : ଶ୍ରୀମନ୍ଦିର ସମ୍ମୁଖରେ ବ୍ରାହ୍ମଣ ସମାଜର ବିରୋଧ

ଜଗନ୍ନାଥ ଧାମ ପୁରୀ କରିବାକୁ ବିଭିନ୍ନ ସଂଗଠନ ଦେଇଥିଲେ ପ୍ରସ୍ତାବ

225

କନକ ବ୍ୟୁରୋ : ପୁରୀ ନାଁ ପରିବର୍ତ୍ତନ ଦାବିକୁ ନେଇ ବଢ଼ୁଛି ବିବାଦ । ପୁରୀ ସହର ନାଁ ପରିବର୍ତ୍ତନ ପାଇଁ ବିଭିନ୍ନ ସଂଗଠନ ଦାବି ପରେ ଜାରି ରହିଛି ପ୍ରତିବାଦ । ଶ୍ରୀମନ୍ଦିର ସମ୍ମୁଖରେ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତିବାଦ କରାଯାଇଛି । ପୁରୀ କହିଲେ ଜଗନ୍ନାଥ ଧାମ ଓ ଜଗନ୍ନାଥ ଧାମ କହିଲେ ପୁରୀ ବୋଲି ବ୍ରାହ୍ମଣ ସମାଜ ପକ୍ଷରୁ କୁହାଯାଉଛି । ତେଣୁ ନାଁ ପରିବର୍ତ୍ତନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ସେହି ବିବାଦରେ ପୂର୍ଣ୍ଣଛେଦ ପଡୁ ବୋଲି ଦାବି କରିଛନ୍ତି ।

ଗତ କିଛି ଦିନ ତଳେ ପୁରୀ ସହରର ନାମ ପରିବର୍ତନ କରି ଜଗନ୍ନାଥ ଧାମ ପୁରୀ କିମ୍ବା ଜଗନ୍ନାଥ ପୁରୀ କରିବାକୁ ହେଉଥିବା ଦାବିକୁ ସମର୍ଥନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀର ନାମ ପରିବର୍ତନ କରି ଜଗନ୍ନାଥ ଧାମ ପୁରୀ କଲେ ଭଲ ହୁଅନ୍ତା ବୋଲି କହିଥିଲେ । କେତେକ ଐତିହାସିକ ତଥ୍ୟକୁ ଭିତି କରି ପୁରୀ ନାଁକୁ ବଦଳାଇବାକୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେବାୟତ ପ୍ରତିନିଧିମାନେ ମଧ୍ୟ ସମାନ ଦାବି ଉଠାଇଛନ୍ତି ।

ହେଲେ, ପୁରୀର ନାମ ବଦଳାଇବାର କିଛି ଆବଶ୍ୟକତା ନଥିବା କହିଥିଲେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ । ପୁରୀ ସହରର ନା ବଦଳିବ କି ନାହିଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି । ଏହା ଭିତରେ ପୁରୀ ଷ୍ଟେସନର ନାଁ ବଦଳାଇବାକୁ ଗତ କାଲି ରେଳମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରତିନିଧି ଦଳ । ରେଳମନ୍ତ୍ରୀ ଦାବିପତ୍ରକୁ ଗ୍ରହଣ କରିବା ସହ ରାଜ୍ୟ ସରକାର କେନ୍ଦ୍ର ଗୃହମନ୍ତ୍ରାଳୟକୁ ଏକ ସୁପାରିଶ ପଠାଇବା ପରେ ହିଁ ଆଗକୁ ପ୍ରକ୍ରିୟା ବଢ଼ିବ ବୋଲି କହିଛନ୍ତି ।