କନକ ବ୍ୟୁରୋ: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ । କନକ ନ୍ୟୁଜକୁ ଅଗ୍ନିଶମ ଡିଜି ସୂଚନା ଦେଇ କହିଛନ୍ତି ଯେ, ନିଆଁକୁ ଆୟତ୍ତ କରିବା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଏବେ ନିଆଁ ଲିଭା କାର୍ଯ୍ୟରେ ୧୬୦ରୁ ଅଧିକ କର୍ମଚାରୀ ଲାଗିଥିବାବେଳେ ୧୨ରୁ ଅଧିକ ଦମକଳଗାଡ଼ି ନିୟୋଜିତ ଅଛି । ଗତକାଲି ରାତିରେ ଅଗ୍ନିକାଣ୍ଡ ଭିତରର ଦୃଶ୍ୟ ଦେଖାଯାଉନଥିବାରୁ ଅସୁବିଧା ହେଉଥିଲା । ବିଶେଷ କରି ଧୂଆଁ ନବାହାରିବାରୁ ଆୟତ୍ତ କରିବାରେ ଅସୁବିଧା ହେଉଛି । ତେଣୁକରି ଦମକଳ ଗାଡ଼ି ସହ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଆଉ କିଛି ସମୟ ଭିତରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି ।

Advertisment

ଅନ୍ୟପଟେ, ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । କହିଛନ୍ତି ଏନେଇ ଅଗ୍ନିଶମ ଡିଜିଙ୍କ ସହ କଥା ହୋଇଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଆହୁରି ୨ରୁ ୩ ଘଣ୍ଟା ସମୟ ଲାଗିବ । ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନ ଖାଲି କରାଯାଇଛି । ସୁରକ୍ଷା ପାଇଁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେପଟେ ଶ୍ରୀମନ୍ଦିର ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।