ଠିକାଦାରୀ ଗଣ୍ଡଗୋଳରେ ବଳିପଡିଲା ଭାବାବେଗ : ପୁରୀରେ ଭକ୍ତଙ୍କୁ କୋଇଲିବୈକୁଣ୍ଠ ମନା । ୭ ଦିନ ହେଲା ଶ୍ରୀମନ୍ଦିର ପ୍ରଶାସନର କଟକଣା, ଶ୍ରଦ୍ଧାଳୁ-ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

44

କନକ ବ୍ୟୁରୋ : ଭକ୍ତଙ୍କୁ କୋଇଲି ବୈକୁଣ୍ଠ ମନା । ଟେଣ୍ଡର ବିବାଦ ଯୋଗୁ ଲାଗିଲା କଟକଣା । ଶ୍ରୀମନ୍ଦିର ପରିସରରେ ଥିବା ମହାପ୍ରଭୂଙ୍କ ପାତାଳି ହେଉଥିବା ପବିତ୍ର ସ୍ଥଳ କୋଇଲି ବୈକୁଣ୍ଠ ପରିଦର୍ଶନ ପାଇଁ ବର୍ଷ ସାରା ଭକ୍ତଙ୍କ ଲାଗିଥାଏ ଭିଡ । କିନ୍ତୁ ଏହି କୋଇଲି ବୈକୁଣ୍ଠରେ ଭକ୍ତଙ୍କ ପ୍ରବେଶ ଉପରେ ଦୀର୍ଘ ୭ ଦିନ ହେବ ଲାଗିଛି କଟକଣା । କାରଣ କୋଇଲି ବୈକୁଣ୍ଠର ଟେଣ୍ଡରକୁ ନେଇ ଦେଖା ଦେଇଛି ବିବାଦ । ଭକ୍ତଙ୍କ ପ୍ରବେଶ ପାଇଁ ଯେଉଁ ଶୁଳ୍କ ଧାର୍ଯ୍ୟ ହୋଇଥାଏ ତାହା ଶ୍ରୀମନ୍ଦିର ପ୍ରଶାସନର ତିନିବର୍ଷିଆ ଚୁକ୍ତିନାମାରେ ଠିକା ହୋଇଥାଏ ।

କିନ୍ତୁ ଏହି ଠିକାଦାରୀକୁ ନେଇ ଜଣେ ପୂରୁଣା ଠିକାଦାର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିବାରୁ ପ୍ରବେଶ ଶୁଳ୍କ ଧାର୍ଯ୍ୟ ହୋଇପାରୁନାହିଁ । ଫଳରେ ସାଧାରଣ ଭକ୍ତଙ୍କୁ କୋଇଲି ବୈକୁଣ୍ଠରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଦେଖା ଦେଇଛି ଅସନ୍ତୋଷ । କୋଇଲି ବୈକୁଣ୍ଠରେ ଭକ୍ତଙ୍କ ପ୍ରବେଶକୁ ଦେୟମୁକ୍ତ କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ।