ରତ୍ନ ସିଂହାସନ ପଦ୍ମ ପାଖୁଡ଼ାରୁ ପଥର ଗାଏବ! ଇପ୍ସିତ ପ୍ରତିହାରୀଙ୍କ ଅଭିଯୋଗକୁ ନେଇ ପୁଣି ହଇଚଇ,ଅନୁସନ୍ଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ

Advertisment
ରତ୍ନ ସିଂହାସନ ପଦ୍ମ ପାଖୁଡ଼ାରୁ ପଥର ଗାଏବ! ଇପ୍ସିତ ପ୍ରତିହାରୀଙ୍କ ଅଭିଯୋଗକୁ ନେଇ ପୁଣି ହଇଚଇ,ଅନୁସନ୍ଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ

କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ବିତର୍କ ଶେଷ ହୋଇନାହିଁ, ଏଭଳି ସମୟରେ ଶ୍ରୀମନ୍ଦିରକୁ ନେଇ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ମହାପ୍ରଭୁଙ୍କ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଥିବା ନେଇ ସେବକ ଇପ୍‌ସିତ ପ୍ରତିହାରୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସିଧା ସିଧା କହିଛନ୍ତି, ଚଳିତବର୍ଷ ରଥଯାତ୍ରା ସମୟ (ଜୁନ ୨୩ରୁ ଜୁଲାଇ ୪)ରେ ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିବା ବେ‌ଳେ ପ୍ରତିବର୍ଷ ଭଳି ଏଥର ମଧ୍ୟ କିଛି ମରାମତି କରାଯାଇଥିଲା। ଏହି କ୍ରମରେ ଗର୍ଭଗୃହ, ମହାପ୍ରଭୁଙ୍କ ରତ୍ନ ସିଂହାସନ ବି ମରାମତି ହୋଇଛି। ଏହି ସମୟରେ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଛି। ମହାପ୍ରଭୁଙ୍କ ରତ୍ନ ସିଂହାସନ ସମ୍ମୁଖ ପଦ୍ମ ପାଖୁଡ଼ା ମଧ୍ୟରୁ ଗୋଟିଏ ପାଖୁଡ଼ାରୁ ଅଧା ପଥର କାଢ଼ି ନିଆଯାଇଥିବା ସେ କହିଛନ୍ତି। ଏହି ପଥର ‌କାହିଁକି କଢ଼ାଗଲା? କ’ଣ ପାଇଁ ଏହା କରାଯାଇଛି? ଏଥିପାଇଁ କାହାଠାରୁ ଅନୁମତି ନିଆଯାଇଥିଲା? କଢ଼ାଯାଇଥିବା ପଥର କାହାକୁ ହସ୍ତାନ୍ତର କରାଯାଇଛି ତାହା ଏଏସ୍‌ଆଇ ସ୍ପଷ୍ଟ କରୁ ବୋଲି ଶ୍ରୀ ପ୍ରତିହାରୀ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ପରିଚାଳନା କମିଟି ବୈଠକ ପରେ ତାଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆସିବା ପରେ ସେ ଘଟଣାର ଅନୁସନ୍ଧାନ ଲାଗି ନିର୍ଦେଶ ଦେଇଛନ୍ତି। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟିରେ ଥିବା ସେବକମାନଙ୍କୁ ସେ ଦାୟିତ୍ବ ଦେଇଛନ୍ତି। ଆଜି ସେମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଶ୍ରୀ ପ୍ରତିହାରୀଙ୍କ  ଅଭିଯୋଗ ପରେ ପୁଣି ଥରେ ଶ୍ରୀମନ୍ଦିରକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରସଙ୍ଗଟି ଜୋର ଧରିବା ପଥର କାରଣ ହେଉଛି, ଭାରତର ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛନ୍ତି। ଶ୍ରୀମନ୍ଦିରରେ ଇତିମଧ୍ୟରେ ଅନେକ ମରାମତି ହୋଇଛି।

ହେଲେ ଶ୍ରୀମନ୍ଦିରରେ ଯେତେ ସବୁ ପ୍ରାଚୀନ ପଥର, ବିରଳ ତଥା ଦୁର୍ଲଭ ମୂର୍ତି କଢାଯାଇଛି, ତାର ହିସାବ କାହା ପାଖରେ ନାହିଁ। ସବୁଠାରୁ ବଡ଼ କଥା ହେଲା, ଶ୍ରୀମନ୍ଦିର ପ୍ରଶାସନ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଯେଭଳି ଗୁରୁତ୍ବ ଦେବା କଥା ତାହା ଦେଖାଯାଇନାହିଁ। ନା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ବିଷୟରେ କେବେ ଆଲୋଚନା ହୋଇଛି ନା ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ଏ ନେଇ ଖୋଳତାଡ଼ କରିଛନ୍ତି। ଏହାକୁ ନେଇ ସନ୍ଦେହ ବଢ଼ୁଥିବା ବେଳେ ଶ୍ରୀ ପ୍ରତିହାରୀଙ୍କ ଅଭିଯୋଗ ଏବେ ସମୁଦାୟ ଘଟଣାକୁ ପୁଣି ତାଜା କରିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିରୋଧରେ ଏକ ବଡ଼ ଧରଣର ଷଡ୍‌ଯନ୍ତ୍ର ଚାଲିଥିବା ଅଭିଯୋଗ ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe