ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

115

କନକ ବ୍ୟୁରୋ : ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ତାକୁ ନେଇ ଚାଲିଛି ଏସଓପିର ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏନେଇ ଚାଲିଛି ବୈଠକ । ସମସ୍ତ ଅଧିକାରୀଙ୍କୁ ଏସଓପି ବିଷୟରେ ଅବଗତ କରୁଛନ୍ତି ଜିଲ୍ଲାପାଳ ।

ପୌରସଂସ୍ଥା, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଅଛନ୍ତି । ୨୩ ତାରିଖ ମନ୍ଦିର ଖୋଲିଲେ ପ୍ରଥମେ ସେବାୟତ ଓ ପୁରୀବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯିବ । ଏହାପରେ ୩ ତାରିଖରେ ରାଜ୍ୟ ବାହାର ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ସାଢ଼େ ୭ରୁ ଦର୍ଶନ ଆରମ୍ଭ ହେବ। ଦୈନିକ ପ୍ରାୟ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ହେବ।

ଜିଲ୍ଲାପାଳ ବଲବନ୍ତ ସିଂହ କହିଛନ୍ତି ଯେ ୱାର୍ଡ ବାରି ଦର୍ଶନ ହେବ। ପ୍ରତିଦିନ ୫ଟି ୱାର୍ଡର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି । ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ପାଇଁ ସେବାୟତ ଓ ସହରବାସୀଙ୍କ ପାଇଁ କୋଭିଡ ଟେଷ୍ଟ ଦରକାର ନାହିଁ । ଜାନୁଆରି ୩ ତାରିଖ ପରଠୁ ପୁରୀ ସହର, ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ। ତଥାପି ଦୈନିକ ୧ ଘଣ୍ଟା ସକାଳେ ଓ ସନ୍ଧ୍ୟାରେ ଦର୍ଶନ ପାଇଁ ସୁବିଧା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।