ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ: ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର

ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର କେବେ ଖୋଲିବ ତାକୁ ନେଇ ବଢ଼ିଲା ଚର୍ଚ୍ଚା

54

କନକ ବ୍ୟୁରୋ: ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ସିଂହଦ୍ୱାର । ଛତିଶାନିଯୋଗ ବୈଠକରେ ପ୍ରଶାସନର ଏହି ନିଷ୍ପତି ପରେ ଜଗନ୍ନାଥ ପ୍ରେମିମାନେ ଖୁସୀ ଜାହିର କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି ପ୍ରଶାସନ । ବଡଦାଣ୍ଡରେ ସେଡ ଲଗାଇବା ସହ ବ୍ୟାରିକେଡିଂ କାମ ଜୋରସୋରରେ ଆଗେଇ ଚାଲିଛି । ସେହିପରି ପରିବେଶକୁ ସବୁଜିମାମୟ କରାଯାଉଛି ।

ଜଗା ଦର୍ଶନ ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ ଦର୍ଶନ ପାଇଁ ମନ୍ଦିର ପ୍ରବେଶକୁ ନେଇ ପ୍ରଶାସନ ପକ୍ଷରୁ ରଖାଯାଇଥିବା ସର୍ତ ଶ୍ରଦ୍ଧାଳୁଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ୪୮ ଘଂଟା ମଧ୍ୟର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ନଚେତ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲୁଥିବା ବେଳେ ଜାନୁୟାରୀ ୩ ତାରିଖରେ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ । ଆଉ ଏସବୁ ଭିତରେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ କେବେ ଖୋଲିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।