ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର : ଆରଟିଆଇ ତଥ୍ୟକୁ ନେଇ ବିବାଦ

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ରତ୍ନଭଣ୍ଡାର, ମରାମତି ପାଇଁ ନିଆଯାଉନାହିଁ ପଦକ୍ଷେପ; ରତ୍ନଭଣ୍ଡାର ରେଜିଷ୍ଟରରେ, ଚାବି ହଜିବା ପ୍ରସଙ୍ଗରେ ନାହିଁ ତଥ୍ୟ

158

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ଆରଟିଆଇ ଆଧାରରେ ମିଳିଥିବା ତଥ୍ୟକୁ ନେଇ ବିବାଦ ଉପୁଜିଛି । ରତ୍ନଭଣ୍ଡାରର ସ୍ଥିତି ବିପଦ ସଙ୍କୁଳ ଥିବା ନେଇ ବାରମ୍ବାର ଭଣ୍ଡାର ମେକାପ ଅଭିଯୋଗ କଲେ ବି କେହି ଏଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଭିତର ରତ୍ନଭଣ୍ଡାରର ଚାବି ଅଛି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ନିୟମ ଅନୁଯାୟୀ ପ୍ରତି ୩ବର୍ଷରେ ଥରେ ମହାପ୍ରଭୁଙ୍କ ଅଳଙ୍କାରର ଆକଳନ କରାଯାଇଥାଏ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ୧୭ ଜଣିଆ ପ୍ରତିନିଧି ଦଳ ରତ୍ନଭଣ୍ଡାର ସ୍ଥିତି ଜାଣିବା ପାଇଁ ବାହାର ରତ୍ନଭଣ୍ଡାରର ଚାବି ଖୋଲିଥିଲେ । ସେତେବେଳେ ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାରକୁ ଟର୍ଚ୍ଚ ଲାଇଟ ପକାଇ ବୈଷୟିକ କମିଟି ସଦସ୍ୟମାନେ ଦେଖିବା ପରେ ଜଣାପଡିଥିଲା ଯେ ସେଠାରେ ପାଣି ଗଳୁଛି ଓ ଛାତ ଦୁର୍ବଳ ଅଛି ।

ଏ ସମସ୍ତ ତଥ୍ୟ ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ଥିବାବେଳେ ଚାବି ହଜିବା ସମ୍ପର୍କରେ କିଛି ଲେଖାଯାଇନାହିଁ । ତେଣୁ ଏହା ପ୍ରମାଣ କରୁଛି ଯେ ଚାବି ହଜିନାହିଁ । ରତ୍ନଭଣ୍ଡାରର ଭିତରେ ମରାମତିର ଆବଶ୍ୟକ ଥିବାବେଳେ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଓ ସେବାୟତ । ସେପଟେ ତିନିବର୍ଷ ଭିତରେ ନୂତନ ପରିଚାଳନା କମିଟି ସଦସ୍ୟ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିବେ ଏବଂ ନିୟମ ଅନୁଯାୟୀ ରତ୍ନଭଣ୍ଡାରର ଆକଳନ କରାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର କମିଟି ସଦସ୍ୟ ।