ବାହାରୁ ଦେଖିଲେ ଭିତର ଭଣ୍ଡାର ! ଯାଞ୍ଚ ସମୟର ପୂରା ଖବର ଏହି ରିପୋର୍ଟରେ

56

କନକ ବ୍ୟୁରୋ : ସବୁ ଅପେକ୍ଷାର ଅନ୍ତ ଘଟିଲା । ପାଖାପାଖି ୨ଟା ୪୫ ମିନିଟରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହ ରତ୍ନଭଣ୍ଡାରର ସ୍ଥିତି ପରଖି ଫେରିଲା ଯାଞ୍ଚ ଟିମ୍ । କିନ୍ତୁ ସବୁଠୁ ବଡ କଥା ହେଲା ଯାଞ୍ଚ କମିଟି ବାହାରୁ ଦେଖିଲେ ଭିତର ଭଣ୍ଡାର ସ୍ଥିତି । ସାରା ଓଡିଶାର ଆଜି ରତ୍ନଭଣ୍ଡାର ଯାଂଚ କମିଟି ଉପରେ ନଜର ରହିଥିବାବେଳେ ବାହାର ଭଣ୍ଡାର ଘରୁ ଭିତର ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ଫେରିଛି ଟିମ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ନୀତି ପ୍ରଶାସକ ,ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ପ୍ରଥମେ ଖୋଲାଯାଇଥିଲା ବାହାର ଭଣ୍ଡାର ଘର । ଏହା ପରେ ୧୬ ଜଣିଆ ସ୍ୱତନ୍ତ୍ର ଟିମ ଭିତରକୁ ପ୍ରବେଶ କରିବା ବେଳେ ଭଣ୍ଡାର ଘର ଛାତ ଓ କାନ୍ଥରେ ପ୍ରବଳ ଅଳନ୍ଦୁ ଥିବା ଦେଖିଥିଲେ । ଏହାକୁ ଝାଡୁ ସାହାଯ୍ୟରେ ସଭ୍ୟ ମାନେ ସଫା କରିଥିଲେ ।

ପରେ ଯାଞ୍ଚ କମିଟି ସାଙ୍ଗରେ ନେଇଥିବା ଶକ୍ତିଶାଳୀ ସର୍ଚ୍ଚ ଲାଇଟ ପକାଇ ବାହାର ଭଣ୍ଡାର ଘରର ଚଟାଣ , କାନ୍ଥ ଓ ଛାତକୁ ଅନୁଧ୍ୟାନ କରିଥିଲେ । କାନ୍ଥରେ ହାତ ଲଗାଇବା ବେଳେ ଏହା ଓଦା ଥିବା ଜଣାପଡିଥିଲ।। ନିୟମ ମୁତାବକ ଭଣ୍ଡାର ଘରର କାନ୍ଥ ଓ ଛାତର ଭିଡିଓଗ୍ରାଫି କରାଯାଇଛି । ଏନେଇ ଏକ ରିପୋର୍ଟ ଏଏସଆଇ ସଦସ୍ୟ ଦେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଭିତର ଭଣ୍ଡାର ଘରକୁ ଯାଇନାହାନ୍ତି ଯାଞ୍ଚ କମିଟି ସଦସ୍ୟ ।ବାହାର ଭଣ୍ଡାର ଘରେ ଥିବା ଏକ ଜାଲି ଗେଟ ଦେଇ ଭିତର ଭଣ୍ଡାର ଘରର ଚଟାଣ, ଛାତ ଓ କାନ୍ଥ ସ୍ପଷ୍ଟ ଭାବେ ଦେଖାଯାଉଥିବାରୁ ଭିତର ଭଣ୍ଡାରକୁ ଯିବାକୁ ଆବଶ୍ୟକ ପଡିନଥିଲା ।

ଶକ୍ତିଶାଳୀ ସର୍ଚ୍ଚ ଲାଇଟ ପକାଇ ଭିତର ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରିଥିଲେ ଏଏସଆଇ ଓ କୋର କମିଟି ସଦସ୍ୟ । ବିଶେଷଜ୍ଞ ଯାହା ଅନୁଧ୍ୟାନ କରିଛନ୍ତି ତାହାର ଏକ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଆସନ୍ତାକାଲି ଏହି ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯିବ । ଏହାକୁ ଅନୁଧ୍ୟାନ କରିବା ପରେ ପରବର୍ତୀ ପଦକ୍ଷେପ ସ୍ଥିର ହେବ । ତେବେ ରତ୍ନଭଣ୍ଡାରକୁ ଯିବା ବେଳେ କୋର କମିଟି ସଦସ୍ୟ ଜିସି ମିତ୍ର ଝୁଣ୍ଟି ପଡିବା ସହ ଆହତ ହୋଇଥିଲେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରୁ ପରଦା ଉଠାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେଭଳି କୌଣସି ଘଟଣା ରତ୍ନଭଣ୍ଡାର ଭିତରେ ହୋଇନଥିଲା ବୋଲି ସେ କହିଛନ୍ତି । ଜିସି ମିତ୍ର ବାହାର ରତ୍ନଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

ଏସବୁ ଭିତରେ ଶ୍ରୀମନ୍ଦିରରୁ ଯାଞ୍ଚ କମିଟି ସଦସ୍ୟ ବାହାରକୁ ବାହାରିବା ପରେ ଘଟିଛି ଅଭାବନୀୟ ଘଟଣା । ଟେକନିକାଲ କମିଟି ସଦସ୍ୟ ଏନ ସି ପାଲ ଯାଂଚ ସାରି ମନ୍ଦିର ବାହାରକୁ ଆସିବା ପରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ନେବାକୁ ଚାହୁଁଥିଲେ । ଏତିିକି ବେଳେ ତାଙ୍କୁ ର୍ଦୁବ୍ୟବହାର କରିବା ସହ ଠେଲାପେଲା କରିଛନ୍ତି ଲୋକେ । ସୁନା ଚୋର କହିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତି । ଏପରିକି ତାଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।