ବଡ ଠାକୁରଙ୍କ ପାଖରେ ଅଛି ୧୨୮ କେଜି ସୁନା ଓ ୨୨୧ କେଜି ରୂପା ଅଳଙ୍କାର ! ୪୦ ବର୍ଷ ତଳର ହିସାବ ରଖିଲେ ସରକାର

37

କନକ ବ୍ୟୁରୋ : କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା, ମହାପ୍ରଭୁ ଜଗନ୍ନାଥ, ଅମାପ ସମ୍ପତିର ଅଧିକାରୀ । କାଳିଆ ପାଖରେ କୁବେର ସମ୍ପତି । ବିଶ୍ୱର ଧନୀ ଠାକୁରଙ୍କ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିରର ଜଗନ୍ନାଥଙ୍କ ନାଁ । ହେଲେ ଜାଣିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଜଗାର ଗହଣା କେତେ? କେତେ ସମ୍ପତିର ଅଧିକାରୀ ମହାପ୍ରଭୁ ଜଗନ୍ନାଥ ? ଆଜି ଏହାର ହିସାବ ଦେଇଛନ୍ତି ସରକାର । ୧୯୭୮ରେ ଶ୍ରୀମନ୍ଦିର ପ୍ରଶାସନ, ରତ୍ନଭଣ୍ଡାରରେ ଥିବା ସୁନା ଓ ରୂପା ଅଳଙ୍କାରର ତାଲିକା ପ୍ରକାଶ କରିଥିଲା ।

୪୦ ବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଜଗାର ସମ୍ପତି କେତେ ଥିଲା, ତାର ହିସାବ ଦେଇଛନ୍ତି ସରକାର । ରତ୍ନଭଣ୍ଡାରରେ ରହିଛି ୧୨ ହଜାର ୮୩୧ ଭରି ୧ ଅଣା ସୁନା ଅଳଙ୍କାର । ଅର୍ଥାତ୍ ୧୨୮ କେଜି ୩୧୦ ଗ୍ରାମ । ବର୍ତମାନ ଏହାର ଆନୁମାନିକ ମୂଲ୍ୟ ୩୮ କୋଟି ୫୦ ଲକ୍ଷରୁ ଅଧିକ । ଏହାସହ ରହିଛିି ଅନେକ ମୂଲ୍ୟବାନ ପଥର । ସେହିଭଳି ରୁପାବାସନ, ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଛି ୨୨ହଜାର ୧୫୩ ଭରି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୯୬ ଲକ୍ଷ ।
ଏହାବାଦ୍ ୧୪ ଗୋଟି ସୁନା ଓ ରୁପା ଜିନିଷର ଓଜନ ହୋଇପାରିନାହିଁ । ତେଣୁ ଏହାକୁ ହିସାବରେ ସାମିଲ କରାଯାଇନାହିଁ ।

ଆଜି ବିଧାନସଭାରେ ଜଗାର ଅଳଙ୍କାର ହିସାବ ଦେଇ ଏଭଳି ଉତର ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ଶ୍ରୀମନ୍ଦିର ପ୍ରଶାସନର ତଥ୍ୟକୁ ଆଧାର କରି ଏଭଳି ଉତର ରଖିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁସାରେ, ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ୧୯୭୮ ରେ ପ୍ରାୟ ୭୦ ଦିନ ଧରି ରତ୍ନଭଣ୍ଡାରର ଭିତର ଓ ବାହାର ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା । ଏହି ସମୟରେ ରତ୍ନଭଣ୍ଡାରରେ ଯେଉଁ କିସମର ଜିନିଷ ସବୁ ଥିଲା ତାର ପରିମାଣ ଦର୍ଶାଇଛନ୍ତି ସରକାର । ତେବେ ଏହି ତାଲିକା ପ୍ରସ୍ତୁତ କରାଯିବାବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନାହିଁ ।