ଅଗଷ୍ଟ ୧୬ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀବାସୀ କରିବେ ଦର୍ଶନ, ଟୀକାର ୨ଟି ଡୋଜ କିମ୍ବା ନେଗେଟିଭ୍ ରିପୋର୍ଟ ନଥିଲେ ମିଳିବନି ପ୍ରବେଶ ଅନୁମତି । 

264

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ପ୍ରଥମ ୫ ଦିନ ପୁରୀବାସୀଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ କରିବେ । ୨୧ ଓ ୨୨ ତାରିଖରେ ସଟଡାଉନ ପଡୁଥିବାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ଆସନ୍ତା ୨୩ରୁ ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ମନ୍ଦିର ଖୋଲିଲେ ମଧ୍ୟ ସବୁ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ଦ୍ୱିତୀୟ ଡୋଜ ଟୀକା ନେଇଥିଲେ କିମ୍ବା ଆରଟି-ପିସିଆର ରିପୋର୍ଟ ନେଗେଟିଭ ଥିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ରାଜ୍ୟର କରୋନା ସଂକ୍ରମଣ ବଢିବା କାରଣରୁ ଗତ କିଛି ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ଥିଲା ପୁରୀ ଶ୍ରୀମନ୍ଦିର । କିନ୍ତୁ ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମିବା ପରେ ଏବେ ଭକ୍ତଙ୍କ ପାଇଁ କାଳିଆ ଦୁଆର ଖୋଲିବାକୁ ମିଳିଛି ଅନୁମତି ।