ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ମାର୍ଗଦର୍ଶିକା : ଆଜି ରାତି ୧୧ଟା ଯାଏ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ଆସନ୍ତାକାଲି ବନ୍ଦ ରହିବ ଦର୍ଶନ

60

କନକ ବ୍ୟୁରୋ : ଆଜି ସକାଳ ୭ରୁ ରାତି ୧୧ଟା ଯାଏ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିପାରିବେ । କିନ୍ତୁ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ଶ୍ରଦ୍ଧାଳୁ ମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ । ପଂଚୁକ ଅବସରରେ ମନ୍ଦିର ଗହଳି ରହିବାର ଆଶଙ୍କା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

ପଞ୍ଚକ ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଅନେକ ଭକ୍ତ ବିଳମ୍ବରେ ଆସିବାରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୧୩ ଓ ୨୭ ତାରିଖରେ ଜାରି ଏସ୍‌ଓପିରେ ଶ୍ରୀମନ୍ଦିର ପ୍ରଶାସନ ସାମାନ୍ୟ ସଂଶୋଧନ କରିଛି । ଜାରି ଏସ୍‌ଓପି ଅନୁଯାୟୀ, ନଭେମ୍ବର ୧୭ ଓ ୧୮ ତାରିଖରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ତେଣୁ ଆଜି ବି ରାତି ୧୧ଟା ଯାଏ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ କରିପାରିବେ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଛି । ଏହା ପରେ ଅର୍ଥାତ ‌ନଭେମ୍ବର ୨୦ରୁ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହେବ । ପୂର୍ବଭଳି ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ ।