ବଡଦେଉଳରେ ବାତ୍ୟାର ବିଭୀଷିକା । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ।

132

କନକ ବ୍ୟୁରୋ : ଚାଲିଗଲା ବାତ୍ୟା, ଛାଡିଗଲା ଚିହ୍ନ । ପୁରୀରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା ଫୋନି । ଶ୍ରୀମନ୍ଦିର ଭିତରେ ବି ତାଣ୍ଡବ ରଚିଛି ଫୋନି । ଲୁହାଭାରା ସମେତ ଗଛବୃକ୍ଷ ଭାଙ୍ଗି ଛାରଖାର୍ କରିଛି । ସିଂହଦ୍ବାରର ଜୟବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ଗଳି ପଡ଼ିଛି । ଅନେକ କାରୁକାର୍ଯ୍ୟ ପ୍ରଭାବିତ ହୋଇଛି । ଏସବୁକୁ ସଫା କରିବା ପାଇଁ କର୍ମଚାରୀମାନେ ଲାଗିଛନ୍ତି । ସଫେଇ କାର୍ଯ୍ୟ ଚାଲିଥିବାରୁ ଗତକାଲି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା ।

ବଡ଼ ଦେଉଳରେ ଏଭଳି ସ୍ଥିତିକୁ ଆଜି ସଜାଡ଼ିବା ଉପରେ ଧ୍ୟାନ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଭିତରେ ଥିବା ବ୍ୟାରିକେଡ୍ ବିଭିନ୍ନ ସ୍ଥାନରେ ଉଡ଼ି ପଡ଼ିଥିଲା । ସେସବୁକୁ ସଜାଡ଼ିବା ସହ ଲୁହାଭାରା ଓ ଗଛ ଡାଳ ସଫା କରାଯାଇଥିଲା । ସେଥି ପାଇଁ ଭକ୍ତଙ୍କ ଶ୍ରମନ୍ଦିର ପ୍ରବେଶକୁ ବନ୍ଦ କରିଥିଲା ପ୍ରଶାସନ । ରାତି ବେଳକୁ ସଫା ସରିବା ପରେ ଭକ୍ତମାନେ ଭିତରକୁ ଯାଇଥିଲେ । ଗତକାଲି ଶ୍ରୀମନ୍ଦିରର ସ୍ଥିତି ପରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଉଳ ଭିତରରେ ବୁଲି ଦେଖିଥିଲେ । ଭୁଶୁଡ଼ି ପଡ଼ିଥିବା ଲୁହାଭାରା ସମ୍ପର୍କରେ ଏଏସଆଇ ଅଧିକାରୀମାନଙ୍କୁ ପଚାରି ବୁଝିବା ସହ ତୁରନ୍ତ ଆବଶ୍ୟକ ଯାଞ୍ଚ ଓ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।