ବିପର୍ଯ୍ୟସ୍ତ ହେଲା ବଡଦେଉଳର ସୌନ୍ଦର୍ଯ୍ୟତା । ‘ଫୋନି’ ପାଇଁ ଶ୍ରୀହୀନ ହେଲା ଶ୍ରୀମନ୍ଦିର । କୋଇଲି ବୈକୁଣ୍ଠରେ ଆଉ ଶୁଭୁନାହିଁ ‘କୁହୁକୁହୁ’, ଭାଙ୍ଗିଲା କଳ୍ପବଟ । 

451

କନକ ବ୍ୟୁରୋ : ତାଣ୍ଡବ ରଚିଲା ବାତ୍ୟା ‘ଫୋନି’ । ମାତ୍ର ୧୨ ଘଣ୍ଟାରେ ଉଜାଡି ଦେଲା ସବୁକିଛି ।  ଫନିର କରାଳ ରୂପରୁ ବର୍ତ୍ତି ପାରିନି ଶ୍ରୀମନ୍ଦିର । ଶ୍ରୀମନ୍ଦିର ବାହାରପଟରେ ନୀଳଚକ୍ର ପର୍ଯ୍ୟନ୍ତ ଲାଗିଥିବା ଲୁହାଭାରା ଭୁଶୁଡ଼ି ପଡ଼ିଛି । ‘ଫୋନି’ ପ୍ରଭାବରେ ପ୍ରାୟ ୨ ଟନ୍ ଓଜନର ଲୁହାଭାରା ଉପରୁ ଭୁଶୁଡ଼ି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଜମା ହୋଇରହିଛି। ଲୁହା ପାଇପ୍ ଭୁଶୁଡ଼ିବାରୁ ଶ୍ରୀମନ୍ଦିରର ଅନେକ କଳାକୃତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଏସଆଇ ଦ୍ବାରା ଲଗାଯାଇଥିବା ଏହି ଲୁହାଭାରା ତାଡ଼ି ହୋଇ ଖସି ପଡ଼ିବା ଦ୍ବାରା ବଡ଼ ଦେଉଳ ପ୍ରଭାବିତ ହୋଇଛି । କେବଳ ସେତିକି ନୁହେଁ, ‘ଫୋନି’ ମହାପ୍ରଭୁଙ୍କ ଫୁଲ ବଗିଚାକୁ ବି ଛାରଖାର କରିଦେଇଛି।

ଶ୍ରୀମନ୍ଦିର ମୂଳ ଢାଞ୍ଚାରେ ‘ଫୋନି’ର କୌଣସି ପ୍ରଭାବ ପଡ଼ି ନଥିଲେ ମଧ୍ୟ ଦକ୍ଷିଣପଟେ ଥିବା କେତେକ କଳାକୃତି ପ୍ରଭାବିତ ହୋଇଛି । ଏଏସଆଇ ଲଗାଇଥିବା ଲୁହାଭାରା ଯୋଗୁ ତାହା ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ‘ଫୋନି’ର ପ୍ରଳୟରେ ଶ୍ରୀମନ୍ଦିରରେ ଲାଗିଥିବା ଲୁହାଭାରାକୁ ଭୁଶୁଡ଼ାଇ ଦେଇଥିଲା । ଦିନ ପ୍ରାୟ ୧୦ଟା ପରେ ଏହି ଲୁହାଭରା ଖସି ପଡ଼ିଥିବା ଦାମୋଦର ପ୍ରତିହାରୀ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ଲୁହାଭାରା ଖସିବା ବେଳେ ବିକଟାଳ ଶବ୍ଦ ହୋଇଥିଲା । ଦେଉଳ ଭିତରେ ତାଙ୍କର ପାଳି ଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ବାହାରକୁ ଆସି ଦେଖିବା ବେଳକୁ ଲୁହା ପାଇପଗୁଡ଼ିକ ଅଜାଡ଼ି ହୋଇ ତଳେ ପଡ଼ିଛି । ତାହା ସହ ପଡ଼ିଛି ଅନେକ ଛୋଟ ପଥର ଖଣ୍ଡ । ଲୁହା ପାଇପ୍ ଯେଉଁଠୁ ତାଡ଼ି ହୋଇ ଆସିଛି, ସେଠାରୁ ପଥର ଖଣ୍ଡ ଖସାଇ ଦେଇଛି । ଏପରିକି କେତେକ କଳାକୃତିର ଭଗ୍ନ ଅଂଶ ବି ପଡ଼ିଥିବା ଦେଖା ଯାଇଥିଲା ।

ଖାଲି ସେତିକି ନୁହେଁ, ଜଗମୋହନ ଭିତରେ ଲାଗିଥିବା ଏସିର ଆଉଟଡୋର୍ ବି ଭାଙ୍ଗି ପଡ଼ିଛି । କେତେକ ସ୍ଥାନରେ ଏସିର ପାଇପ୍ ଉପୁଡ଼ି ପଡ଼ିଛି । ‘ଫନି’ ମାଡ଼ରେ ନୀଳାଚଳ ଉପବନରେ ଥିବା ନଡ଼ିଆଗଛରୁ ଆଉ ମାତ୍ର ୪ଟି ରହିଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ତୁଳସୀ ବଗିଚା, ଫୁଲ ବଗିଚା ଛାରଖାର୍ ହୋଇଯାଇଛି। ଏସବୁ ପାଇପ୍ ଓ ଗଛକୁ ବଡ଼ ଦେଉଳରୁ ସଫା କରିବା ପାଇଁ କର୍ମଚାରୀମାନେ ଲାଗିଛନ୍ତି ।

ଭାଙ୍ଗିଲା କଳ୍ପବଟ :

‘ଫୋନି’ର ତୀବ୍ର ପବନ କଳ୍ପବଟର ଅନେକ ଶାଖାକୁ ଭାଙ୍ଗି ଦେଇଥିବା ବେଳେ ଛିଣ୍ଡି ଯାଇଛି ହଜାର ହଜାର ଭକ୍ତଙ୍କ ମାନସିକ ଡୋରି । ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି । ସେସବୁକୁ ଗୋଟାଇବା ବି ସମ୍ଭବ ହେଉନି । ଅନେକ ଡୋରିକୁ ଉଡ଼ାଇ ନେଇଛି ‘ଫୋନି’।

ଶ୍ରୀମନ୍ଦିର କଳ୍ପବଟରେ ମାନସିକ ଡୋରି ବାନ୍ଧିଥାନ୍ତି ଭକ୍ତ । ମାନସିକ ପୂରଣ ହେଲେ ତାହାକୁ ଖୋଲି ଦିଅନ୍ତି । ଏହି ବିଶ୍ବାସ ରହି ଆସିଛି । ସେଥି ପାଇଁ କାହିଁ କେଉଁ କାଳରୁ ଏହି ଡୋରି ବନ୍ଧା ପ୍ରକ୍ରିୟା ଚାଲୁ ରହିଛି । ତେବେ ସାମୁଦ୍ରିକ ଝଡ଼ ‘ଫୋନି’ ଅନେକଙ୍କ ମାନସିକ ଡୋରିକୁ କଳ୍ପବଟରୁ ଛିଣ୍ଡାଇ ଫିଙ୍ଗି ଦେଇଛି । କଳ୍ପବଟର ପ୍ରାୟ ୫ଟି ଡାଳ ଭାଙ୍ଗି ଯାଇଛି । ଏଥିସହ ସେହି ସବୁ ଡାଳରେ ବନ୍ଧାଯାଇଥିବା ମାନସିକ ଡୋରି ବି ଛିଣ୍ଡି ଯାଇଛି । ପବନରେ ଡୋରିଗୁଡ଼ିକ ମୁକ୍ତିମଣ୍ଡପଠାରୁ ଗଣେଶ ମନ୍ଦିର ପର୍ଯ୍ୟନ୍ତ ବିକ୍ଷିପ୍ତ ହୋଇ ପଡ଼ିଛି। ସେସବୁକୁ ଗୋଟାଇବା ବି ସମ୍ଭବ ହୋଇ ପାରିନାହିଁ। ଫଳସ୍ବରୂପ ‘ଫୋନି’ରେ ଛିଣ୍ଡି ଯାଇଥିବା ଅନେକ ମାନସିକ ଡୋରିକୁ ଫିଙ୍ଗିବାକୁ ବାଧ୍ୟ ହୋଇଛି ମନ୍ଦିର ପ୍ରଶାସନ ।