ବଡ଼ ଖବର: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି, ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

66

କନକ ବ୍ୟୁରୋ: ବଡ଼ ଖବର । ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଚିଠି । ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବାକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୁପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର । 

ତେବେ ଗତକାଲି ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ କିର୍ତୀରାଜି କର୍ତୃପକ୍ଷ ପ୍ରସ୍ତାବିତ ବାଇ-ଲ ଜାରି କରିଥିଲେ । ଏହାକୁ ବିରୋଧ କରୁଛନ୍ତି ସେବାୟତ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି । ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । 

ଏପରିକି ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ଜାତୀୟ କିର୍ତୀରାଜି କର୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ୩୭ ଦଶମିକ ୦୬୧ ଏକର ଅଂଚଳ । ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଦଶମିକ ୩୮୫ ଏକର । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତି ଓ ପରାମର୍ଶ ମଗାଯାଇଛି । ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ କହିଛି ଜାତୀୟ କିର୍ତୀରାଜି କର୍ତୃପକ୍ଷ  ।