କୌଣସି ଜାଗାରେ ବି ଗଡିବନି ମହାପ୍ରଭୁଙ୍କ ରଥ ! ଛୋଟ ହେଉ କି ବଡ଼, ଜଣେ ଟାଣୁ କି ୧୦ ଜଣ, କୌଣସି ପରିସ୍ଥିତିରେ ହୋଇପାରିବନି ରଥଯାତ୍ରା: ସୁପ୍ରିମକୋର୍ଟ ଆଦେଶ ପରେ ଜିଲ୍ଲାପାଳଙ୍କୁ ଦେବୋତ୍ତର ଆୟୁକ୍ତଙ୍କ ଚିଠି
କନକ ବ୍ୟୁରୋ: ରାଜ୍ୟର କୌଣସି ଜାଗାରେ ୨୩ ତାରିଖ ଦିନ ଗଡ଼ିବନି ରଥ। ଛୋଟ ହେଉ କି ବଡ଼, ଜଣେ ଟାଣୁ କି ୧୦ ଜଣ, କୌଣସି ପରିସ୍ଥିତିରେ ଏହି ଯାତ୍ରା ହୋଇ ପାରିବ ନାହିଁ। ସୁପ୍ରିମକୋର୍ଟ ଏଭଳି ଆଦେଶ ଦେବା ପରେ ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ରଥଯାତ୍ରା ଯେଭଳି ନ ହେବ ତାହା ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
କୋର୍ଟଙ୍କ ଆଦେଶ କିଭଳି ପାଳନ ହେବ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ତା’ ସହିତ ବିଭିନ୍ନ ଜଗନ୍ନାଥ ମନ୍ଦିରର ନିର୍ବାହୀ ଅଧିକାରୀ ବା ଟ୍ରଷ୍ଟ ବୋର୍ଡକୁ ମଧ୍ୟ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ରଥଯାତ୍ରା ତିଥିରେ ମନ୍ଦିର ପାଖରେ କେହି ଏକତ୍ର ହୋଇ ପାରିବେ ନାହିଁ। ରଥଯାତ୍ରାକୁ ନେଇ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ତାହା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରକୁ ଛାଡ଼ି ଦେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଶହରୁ ଊର୍ଦ୍ଧ୍ବ ଜଗନ୍ନାଥ ମନ୍ଦିର ରହିଛି ସମସ୍ତ ଜାଗାରେ ଏହି ରଥଯାତ୍ରା ହୁଏ। ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ଯାତ୍ରା ଉପଭୋଗ କରନ୍ତି। କୋଭିଡ୍ ମୁକାବିଲା ପାଇଁ ସୁପ୍ରିମକୋର୍ଟ ଏହାକୁ ବାରଣ କରିବା ପରେ ରାଜ୍ୟ ବିଧି ବିଭାଗ ଏହି ଆଦେଶ ପାଳନ ଉପରେ ବିଜ୍ଞପ୍ତି ଜାରି କରିଥିଲା। ଏହି ବିଜ୍ଞପ୍ତିକୁ ଆଧାର କରି କମିସନର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।