ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ : ହଟିଲା ନାକାବନ୍ଦୀ ସହ ଅନ୍ୟାନ୍ୟ କଟକଣା, ହୋଟେଲ୍‌ ବୁକିଂ ପାଇଁ ମିଳିଲା ଅନୁମତି

Advertisment
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ପୁରୀ : ହଟିଲା ନାକାବନ୍ଦୀ ସହ ଅନ୍ୟାନ୍ୟ କଟକଣା, ହୋଟେଲ୍‌ ବୁକିଂ ପାଇଁ ମିଳିଲା ଅନୁମତି

କନକ ବ୍ୟୁରୋ : ପର୍ଯ୍ୟଟନ ସହର ପୁରୀକୁ ଶେଷରେ ପର୍ଯ୍ୟଟକଙ୍କ ପାଇଁ ମୁକ୍ତ କରାଯାଇଛି। କୋଣାର୍କକୁ ବି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଯେଉଁସବୁ କଟକଣା ରହିଥିଲା, ତାକୁ ପ୍ରତ୍ୟାହାର କରି ନିଆଯାଇଛି। ବିଭିନ୍ନ ସ୍ଥାନରେ ଥିବା ନାକାବନ୍ଦୀ ପ୍ରତ୍ୟାହାର କରି ନିଆଯାଇଥିବାବେଳେ ହୋଟେଲ୍‌ଗୁଡ଼ିକୁ ବୁକିଂ ଅନୁମତି ଦିଆଯାଇଛି ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି।

ଏ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, କରୋନା ପାଇଁ ପୁରୀ ପର୍ଯ୍ୟଟନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି। କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ଆମେ ତ୍ବରାନ୍ବିତ କରିବୁ। ହୋଟେଲ୍‌ ସବୁ ପ୍ରାୟ ଖୋଲି ସାରିଲାଣି। ହୋଟେଲ୍‌ଗୁଡ଼ିକୁ ବୁକିଂ ପାଇଁ ବି ଅନୁମତି ଦିଆସରିଛି। ଜିଲ୍ଲାର ପ୍ରବେଶ ପଥରେ ନାକାବନ୍ଦୀକୁ ହଟାଇ ଦିଆଯାଇଛି। ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରିବେ। ହୋଟେଲ୍‌ରେ ରହିପାରିବେ ଓ କୋଣାର୍କ ମନ୍ଦିର ଓ ଅନ୍ୟ ସ୍ଥାନ ବୁଲି ପାରିବେ। କିନ୍ତୁ କରୋନା ନିୟମାବଳୀକୁ ମାନି ପର୍ଯ୍ୟଟକଙ୍କୁ ଚଳିବାକୁ ଅନୁରୋଧ କରୁଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଯଦି କେହି ପୁରୀ ବୁଲିବାକୁ ଆସୁଛନ୍ତି, ସତର୍କତାର ସହ ଆସିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ପୂର୍ବରୁ ପର୍ଯ୍ୟଟକ ତଥା ଜିଲ୍ଲା ବାହାର ଲୋକଙ୍କୁ ଜିଲ୍ଲାରେ ପ୍ରବେଶ ଉପରେ କଟକଣା ଲଗାଇଥିଲା। ବାହାର ଗାଡ଼ିକୁ ଜିଲ୍ଲାରେ ପ୍ରବେଶ ଅନୁମତି ମିଳୁନଥିଲା। ଯେଉଁମାନେ ଜରୁରୀ କାମରେ ଆସୁଥିଲେ, ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ପିପିଲି ଟୋଲ୍‌ ଗେଟ୍‌ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe