ଆଜି ଆଡପମଣ୍ଡପ ବିଜେ : ରଥ ଉପରେ ସମସ୍ତ ନୀତିକାନ୍ତି ପରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

71

କନକ ବ୍ୟୁରୋ : ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟାଇ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି କାଳିଆ ସାଆନ୍ତ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି କଳା ଠାକୁର । ଘଣ୍ଟ, ଘଣ୍ଟାର ତାଳେ ତାଳେ ହରିବୋଲ, ଜୟ ଜଗନ୍ନାଥ ଧ୍ବନିର ଭାବମୟ ପରିବେଶ ଭିତରେ ହଲି ହଲି ଝୁଲି ଝୁଲି ରତ୍ନ ସିଂହାସନ ଛାଡ଼ି ଜନ୍ମବେଦି ଅଭିମୁଖେ ଯାତ୍ରା କରିଛନ୍ତି ମହାପ୍ରଭୁ । କୋଭିଡ୍‌ ମହାମାରୀର କଟକଣା ତଥା କର୍ଫ୍ୟୁ ଭିତରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ସେଭଳି ଅପୂର୍ବ ମିଳନ ଦେଖିବାକୁ ମିଳିନି ।

ରଥଉପରେ ଘଣ୍ଟୁଆ ଘଣ୍ଟ ବାଜ‌ାଉଥିଲେ ସତ, ମାତ୍ର ସେହି ଘଣ୍ଟ ଶବ୍ଦରେ ବିମୋହିତ ହୋଇ ହରିବୋଲ, ହୁଳହୁଳି ଦେବାକୁ ବଡ଼ଦାଣ୍ଡରେ ଭକ୍ତ ନ ଥିଲେ। କାଳିଆ ସାଆନ୍ତ ଡାକରେ ମୁଖରିତ ହେଉ ନ ଥିଲା ଗଗନପବନ କିମ୍ବା ଲକ୍ଷଲକ୍ଷ ଭକ୍ତଙ୍କ ଆନନ୍ଦାଶ୍ରୁରେ ସିକ୍ତ ହେଉନ ଥିଲା ବଡ଼ଦାଣ୍ଡ । ଅବଶ୍ୟ ରଥ ଟାଣିଲା ବେଳେ ସେବାୟତଙ୍କ ହରିବୋଲ ଧ୍ବନିରେ ପୁଲକ ସୃଷ୍ଟି ହେଉଥିଲା, ମାତ୍ର ଯେଉଁ ପତିତଜନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁଙ୍କ ଏହି ଲୀଳାଖେଳା, ତାହା ଅନୁଭବ ହେଉ ନ ଥିଲା।

ଆଜି ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବେ । ଅପରାହ୍ନ ପ୍ରାୟ ୫ଟାରେ ବିଜେ ନୀତି ଅନୁଷ୍ଠିତ ହେବ । ରଥାରୂଢ଼ ଶ୍ରୀଜିଉଙ୍କ ନିକଟରେ ଚାଲିଛି ନୀତିକାନ୍ତି । ମଙ୍ଗଳଆଳତୀ, ମଇଲମ ନୀତି ସହ ବଢ଼ିଛି ଅନ୍ୟାନ୍ୟ ନୀତି । ମହାପ୍ରଭୁ ଗୋଟି ପହଣ୍ଡିରେ ଜନ୍ମଦେବୀକୁ ବିଜେ କରିବାକୁ ଥିବାରୁ ନୀତି ସଅଳ କରାଯାଉଛି । ଆଡପମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି କରିବେ । ଏହା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ପରେ ମହାପ୍ରଭୁଙ୍କ ନିକଟରେ ଦହି ପଖାଳ ଲାଗି ହେବ । ତାପରେ ବଡ଼ସିଂହାର ବେଶ ହୋଇ ପହୁଡ ହେବେ । ଆସନ୍ତାକାଲି ଆଡ଼ପ ଅବଢ଼ା ବାହାରିବ ।