ସାଆନ୍ତେଙ୍କ ପାଖକୁ ଆସିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ : ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

95

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ରଥଯାତ୍ରା ଜାରି ରହିଛି । ସକାଳ ୧୦ ପୂର୍ବରୁ ମହାପ୍ରଭୁଙ୍କୁ ରଥାରୁଢ଼ କରାଯାଇଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀଜିଉମାନଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ସହିତ ତାଙ୍କର ୭ ଜଣ ଶିଶ୍ୟ ମଧ୍ୟ ଶ୍ରୀଜିମାନଙ୍କୁ ଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ରଥ ଉପରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତ ଓ ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଥିଲେ ।

ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି ବିଜେ କରି ତାଳଧ୍ୱଜ ରଥକୁ ଅଣାଯାଇଥିଲା । ସେହିପରି ଦେବୀ ସୁଭଦ୍ରା ମଧ୍ୟ ବଡ଼ଭାଇଙ୍କ ପରି ପହଣ୍ଡିରେ ଆସି ଦର୍ପଦଳନରେ ବିରାଜମାନ କରିଥିଲେ । ଶେଷରେ କାଳିଆ ଠାକୁରଙ୍କୁ ସେବାୟତମାନେ ପହଣ୍ଡିରେ ଝୁଲାଇ ଝୁଲାଇ ନନ୍ଦିଘୋଷ ଉପରକୁ ଆଣିଥିଲେ ।

ସୂଚନାଯୋଗ୍ୟ ରଥଯାତ୍ରା ଅବସରରେ ଆଜି ସକାଳୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ସକାଳ ସାଢ଼େ ୮ଟାରୁ ପହଣ୍ଡି ଆରମ୍ଭ କରାଯିବାର ଥିଲା । କିନ୍ତୁ ନୀତିଗୁଡ଼ିକ ଶୀଘ୍ର ଶେଷ ହୋଇଯାଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଥିଲା । ସେହିପରି ପହଣ୍ଡି ପୂର୍ବାହ୍ନ ସାଢ଼େ ୧୧ଟାରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଶେଷ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ରଥ ଉପରେ ଆୟୋଜନ ହେବାକୁ ଥିବା ନୀତିକୁ ଅପେକ୍ଷା କରାଯାଇଛି ।